ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ୱରରେ କଡ଼ା ଚେକି, ଜାରି ହେଲା ହେଲ୍ପ୍‌ଲାଇନ୍ ନମ୍ବର

ଭୁବନେଶ୍ୱର(ରାଜ୍ୟକାହାଣୀ) ୮ତାରିଖରୁ ରାଜଧାନୀରେ ଆରମ୍ଭ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ୪୫ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଯୋଗଦେବେ । ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ୪୫ ଦେଶରୁ ପାଖାପାଖି ୧୫ଶହ ପ୍ରବାସୀ ଭାରତୀୟ ପଞ୍ଜିକରଣ କଲେଣି । ଏହା ପୂର୍ବରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଭୁବନେଶ୍ବର ସହରକୁ ହାଇ ଆଲର୍ଟରେ ରଖାଯାଇଛି । ଏହାରି ଭିତରେ ସହରରେ ମୁତୟନ ହୋଇଛନ୍ତି ଏସ୍‌ଟିୟୁ କମାଣ୍ଡୋ ।  ଏହି କମାଣ୍ଡୋ ଟଇମ୍ ଗତକାଲି ପୋଲିସ ଡିଜି କ୍ୟାମ୍ପ ଅଫିସରେ ପହଞ୍ଚିଛନ୍ତି  ।  ପ୍ରବାସୀ ଭାରତୀୟ ଦିବସ ପାଇଁ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍‌ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି ।  ଭୁବନେଶ୍ବର ଓ କଟକ ସହରକୁ ଜଗିବେ ୮୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪୫୦ ଜଣ ପୋଲିସ ଅଧିକାରୀ ।ହେଲେ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଇ-ମେଲ୍ ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ମୋଡ଼ରେ ରହିଛି କମିଶନରେଟ୍ ପୋଲିସ ।  ସେହିଭଳି ସୁରକ୍ଷା ଦାୟିତ୍ବରେ ରହିବେ ସେଣ୍ଟ୍ରାଲ ଆର୍ମ ଫୋର୍ସ । ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ ପ୍ରସ୍ତୁତ୍ ହୋଇଛି ବ୍ଲୁ-ପ୍ରିଣ୍ଟ । ପ୍ରବାସୀ ଭାରତୀୟଙ୍କ ପାଇଁ ହେଲ୍ପ୍ ଲାଇନ୍ ନମ୍ବର ୧୯୬୫ ଜାରି କରିଛି ପୋଲିସ । ପ୍ରବାସୀ ଭାରତୀୟଙ୍କ ସେବାରେ ୭ଶହ ପ୍ରବାସୀ ମିତ୍ର କାମ କରିବେ ବୋଲି କହିଛନ୍ତି ପୋଲିସ କମିଶନର । 

Leave A Reply

Your email address will not be published.

three × three =