ଆସନ୍ତା ଫେବୃଆରୀ ୪ରେ ପବିତ୍ର ମାଘ ସପ୍ତମୀ ମେଳା

ଭୁବନେଶ୍ୱର(ରାଜ୍ୟକାହାଣୀ) ଏଥର ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ସ୍ଥାନୀୟ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଓ ଦଖିଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁ ସନ୍ଥଙ୍କ ଦ୍ୱାରା ମହା ଆଳତୀ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ ।ଏନେଇ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।ବୈଠକରେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ ବ୍ୟବସ୍ଥା, ବୁଡ଼ ୩ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ କୋଣାର୍କ ବସଷ୍ଟାଣ୍ଡରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଟ୍ରାଫିକ୍‌ ବ୍ୟବସ୍ଥା, ପରିମଳ, ଯାନବାହାନ ପାର୍କିଂ, ଆଲୋକ ବ୍ୟବସ୍ତା, ସୂଚନା, ପ୍ରସାରଣ, ଯାନବାହାନ ନିୟନ୍ତ୍ରଣ ଆଦି ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା ଆଦି ଉପରେ ଆଲୋଚନା ହୋଇଥିଲା। ଚନ୍ଦ୍ରଭାଗା ବୁଡ଼ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ପୌରାଣିକ ମତାନୁସାରେ, ଏହି ପବିତ୍ର ଦିନ ହେଉଛି ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ । ସୂର୍ଯ୍ୟ ପୂଜାକୁ ଆଧାର କରି ଚନ୍ଦ୍ରଭାଗା ତୀର୍ଥରେ ଏହି ବୁଡ ଅନୁଷ୍ଠିତ ହୋଇଥାଏ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି ।

Leave A Reply

Your email address will not be published.

13 − three =