ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରିନ୍ସିପାଲ୍ ଏସ୍.କେ. ସାକ୍ସେନା (୫୫)ଙ୍କ ସ୍କୁଟର ନେଇ ପଳାଇଛନ୍ତି। ସୂତ୍ର ଅନୁସାରେ, ଦ୍ୱାଦଶ ଶ୍ରେଣୀ ଛାତ୍ର ଜଣଙ୍କ ପ୍ରିନ୍ସପାଲଙ୍କ ପିଛା କରି ଟଏଲେଟରେ ପହଞ୍ଚିଥିଲା। ସେଠାରେ ତାଙ୍କ ମୁଣ୍ଡକୁ ଗୁଳି କରିଥିଲା। ଗୁଳି ମାଡ଼ ଶବ୍ଦ ପୂରା ସ୍କୁଲରେ ଆତଙ୍କ ଖେଳାଇ ଦେଇଥିଲା।
ଗୁଳିମାଡ଼ ଶବ୍ଦ ଶୁଣି ସ୍କୁଲର କର୍ମଚାରୀମାନେ ପ୍ରିନ୍ସପାଲଙ୍କ ଟଏଲେଟ ଆଡ଼କୁ ଦୌଡ଼ି ଥିଲେ। ସେମାନେ ପହଞ୍ଚିଲା ବେଳକୁ ସୁରେନ୍ଦ୍ର ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସ୍କୁଲ ଶିକ୍ଷକ ହରିଶଙ୍କର ଜୋଷୀଙ୍କ କହିବା ଅନୁଯାୟୀ, ସାକ୍ସେନା ଜଣେ ଭଲ ମଣିଷ ଥିଲେ। ତେବେ ଆକ୍ରମଣକାରୀ ଛାତ୍ର ଜଣକ ଜଣେ ବଦନାମୀ ପିଲା, ଯିଏକି ନିଜ ଇଚ୍ଛାରେ ସ୍କୁଲ ଆସୁଥିଲା। ପ୍ରିନ୍ସିପାଲ୍ ଏଭଳି ପିଲାଙ୍କୁ ଭଲ ବାଟକୁ ଆଣିବା ପାଇଁ ସବୁବେଳେ ବୁଝାଉଥିଲେ ବୋଲି ଜୋଷୀ କହିଛନ୍ତି। ତେବେ ପୁଲିସ୍ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।