ପ୍ରବାସୀ ଭାରତୀୟ ଦିବସ,ଅତିଥିଙ୍କ ପାଇଁ ୩୭୦୦ଟି ରୁମ ବୁକିଂ

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଭବ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରକୁ ସଜେଇବା ସହ ପ୍ରବାସୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ୩୭୦୦ଟି ରୁମ ବୁକିଂ ହୋଇଛି । ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମୀକ୍ଷାରୁ ସୂଚନା ମିଳିଛି ।ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ସମୀକ୍ଷା ବୈଠକ । ବୈଠକରେ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି । ଯେଉଁ ଯେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତାହାର ଚେକ ଲିଷ୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତଦନୁସାରେ ପ୍ରସ୍ତୁତି ସଠିକ ଭାବେ କରିବା, ତଦାରଖ ଓ କାର୍ଯ୍ୟନିର୍ବାହ କରିବାକୁ ସେ ସଂପୃକ୍ତ କମିଟିରେ ଥିବା ବିଭାଗୀୟ ସଚିବ ତଥା ବରିଷ୍ଠ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରାଯିବା ପାଇଁ ୧୪ ଉପ କମିଟି ଗଠନ କରାଯାଇଛି । ବିଭିନ୍ନ କମିଟି ଦ୍ୱାରା କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି ।ସେହିପରି କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନରେ ଯେପରି ବ୍ୟାପକ ଇଂଟରନେଟ୍ ସୁବିଧା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଆଇଟି ବିଭାଗକୁ କୁହାଯାଇଛି। ଜନତା ମଇଦାନର କାର୍ଯ୍ୟକ୍ରମ ସ୍ଥଳରେ ଭିଭିଆଇପି, ଅତିଥି, ପ୍ରବାସୀ ଭାରତୀୟ,ସ୍ଥାନୀୟ ଦର୍ଶକମାନଙ୍କ ବସିବା, ଯାନବାହନ ପାର୍କିଂ, ଉତ୍ସବ ସ୍ଥଳରେ ଖାଦ୍ୟବ୍ୟବସ୍ଥା ଆଦିର ବ୍ୟାପକ ଆୟୋଜନ ଠିକଠାକ୍ କରିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.

12 − three =