ଭୁବନେଶ୍ୱର(ରାଜ୍ୟକାହାଣୀ)ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି।ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ୬ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଯୋଗେ ପଶ୍ଚିମବଙ୍ଗରେ ଥିବା ପ୍ରତିରକ୍ଷା ବିଭାଗ କଲେଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରଙ୍ଗମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ନିଜ ଗାଁ ଉପରବେଡାକୁ ଯିବେ ରାଷ୍ଟ୍ରପତି । ଗାଁରେ ପହଞ୍ଚିବା ପରେ ଉପରବେଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।
ପରେ ସେଠାରୁ ନିଜ ବାସଭବନକୁ ଯିବେ | ରାଇରଙ୍ଗପୁରସ୍ଥ ବାସଭବନରେ ମଧାହ୍ନଭୋଜନ କରିବା ପରେ ଉପଖଣ୍ତ ଚିକିତ୍ସାଳୟରେ ଏସ୍ଏଲ୍ଏସ୍ ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଏକ ଯାନକୁ ଲୋକାର୍ପିତ କରିବେ। ଏଥିସହିତ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପକଙ୍କ ସହିତ ଆଲୋଚନା କରିବା ପରେ ପୁଣେଶ୍ବର ମହାଦେବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ଏହାସହ ଆଭାସୀ ଜରିଆରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତି ପ୍ରସ୍ଥର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ସରିବା ପରେ କଲେଇକୁଣ୍ଡା ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।