ଭୁବନେଶ୍ୱର(ରାଜ୍ୟକାହାଣୀ) ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଊର୍ଦ୍ଧ୍ୱ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୁପାଛାଉଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ତେଣୁ ନୂଆବର୍ଷ ପୂର୍ବରୁ କାର୍ଯ୍ୟ ସାରିବାକୁ କୁହାଯାଇଛି। ଫଳରେ ଭକ୍ତମାନେ ନୂଆ ରୂପ ଦେଖିପାରିବେ। ସେହିପରି ଶ୍ରୀବିଗ୍ରହମାନଙ୍କ ରତ୍ନପଲଙ୍କକୁ ବର୍ମାଟିକ୍ କାଠରେ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଦିନ ସେବକମାନେ ଟେକି ଆଣୁଛନ୍ତି। ପ୍ରତ୍ୟେକ ପଲଙ୍କର ଓଜନର ୫୦ରୁ ୫୬ କିଲୋ ମଧ୍ୟରେ ରହୁଛି। ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ରୁପାଛାଉଣି କାର୍ଯ୍ୟ କରାଯିବ। ରୁପାରେ ଏପରି ଡିଜାଇନ କରାଯିବ ଯେପରି ସେବକମାନଙ୍କ ସମସ୍ୟା ନ ହେବ। ରତ୍ନପଲଙ୍କ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯାଇ ପଦକ୍ଷପ ନିଆଯିବ। ମାର୍ଚ୍ଚ ମାସ ସୁଦ୍ଧା ରତ୍ନପଲଙ୍କ ରୁପାଛାଉଣି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ପ୍ରତିମାମାନଙ୍କର ୭ଟି ପ୍ରଭାରେ ରୁପା ଛାଉଣି କରାଯିବ। ମହାରଣାସେବକମାନେ ପ୍ରଭା ତିଆରି କରିବା ପରେ ସେଥିରେ ରୁପା ଛାଉଣି ହେବ। ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ଆଶା ରଖାଯାଇଛି ବୋଲି ପୂଜାପଣ୍ଡା ସୂଚନା ଦେଇଛନ୍ତି।