ଆଗ୍ନିକ ପଦରେ ୧୦ପ୍ରତିଶତ ଗୃହରକ୍ଷୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ରାଜ୍ୟକାହାଣୀ) ଫାୟାରମ୍ୟାନ୍‌ ପଦରେ ନିଯୁକ୍ତି ପ୍ରସଙ୍ଗରେ ଗୃହରକ୍ଷୀଙ୍କୁ ନ୍ୟାୟ ମିଳିଛି। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବ।ସରକାରଙ୍କ ପକ୍ଷରୁ ଏହି ଅନୁସାରେ ପ୍ରସ୍ତୁତ ଏକ ସାନି ଚୟନ ତାଲିକାକୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମୁଦା ଲଫାଫାରେ ଦାଖଲ କରିଥିଲେ । ଓଡ଼ିଶା ଫାୟାର ସର୍ଭିସ (ମେଥଡ ଅଫ୍‌ ରିକ୍ରୁଟମେ ଆଣ୍ଡ କଣ୍ଡିସନ୍ସ ଅଫ୍‌ ସର୍ଭିସ ଅଫ ଦି ଗ୍ରୁପ୍‌-ସି ଅଫିସର୍ସ) ନିୟମାବଳୀ, ୨୦୨୧ର ନିୟମ ୪ ଓ ୫ କଡ଼ାକଡ଼ି ପାଳନ କରାଯାଇଥିବା ନେଇ ଏକ ଅତିରିକ୍ତ ସତ୍ୟପାଠ ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ଦାଖଲ ଚୟନ ତାଲିକାକୁ ଆଧାରରେ ଚୟନ ପ୍ରକ୍ରିୟାକୁ ଶେଷ କରିବା ସହିତ ପଦ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ପୂର୍ବରୁ ଜାରି ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି । 

ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଜନସ୍ବାର୍ଥକୁ ହାନି ପହଞ୍ଚାଇବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।  ମାମଲାର ବିବରଣୀରୁ ପ୍ରକାଶ ଯେ ୮୨୬ ଫାୟରମ୍ୟାନ ଓ ୧୧୫ଟି ଫାୟାର ଡ୍ରାଇଭର ପଦ ପୂରଣ ପାଇଁ ୨୦୨୩, ଅଗଷ୍ଟ ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବା କଥା। କିନ୍ତୁ ଚୟନ ତାଲିକାରେ ମାତ୍ର ୨୯ଜଣ ଗୃହରକ୍ଷୀ ସ୍ଥାନ ପାଇଥିଲେ।  ଅବଶିଷ୍ଟ ୫୪ଟି ପଦବିରେ ଗୃହରକ୍ଷୀ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଆବେଦନକାରୀ ଦାବି କରିଥିଲେ। ଗୃହରକ୍ଷୀଙ୍କ ପାଇଁ ସଂରକ୍ଷିତ ପଦବିରେ ଅନ୍ୟ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ୨୦୨୧ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ପୃଥକ ମାମଲା ଦାୟର ହୋଇଥିଲା। ୨୦୨୪, ଜାନୁଆରି ୩୧ ଓ ଫେବ୍ରୁଆରି ୨ରେ ହାଇକୋର୍ଟ ଏହି ମାମଲା ଗୁଡ଼ିକର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ।

Leave A Reply

Your email address will not be published.

16 − 6 =