ଭୁବନେଶ୍ୱର(ରାଜ୍ୟକାହାଣୀ) ମାଓ ମୁକ୍ତ ହେବ ଓଡ଼ିଶା । ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ମାଓ ମୁକ୍ତ କରାଯିବା ନେଇ ଆହ୍ବାନ ଦେଇଛନ୍ତି ଗୃହ ମନ୍ତ୍ରୀ । ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ଓଡ଼ିଶାରେ ଏହି ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ଅବଧିରେ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପ୍ରଥମ ଲକ୍ଷ୍ୟ ରଖିଛି ଓଡ଼ିଶା ପୋଲିସ । ଖୁରାନିଆ ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ସେଠାରେ ଯବାନମାନଙ୍କ ସହ ମାଓ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନୋବଳ ବଢାଇଥିଲେ । ଏଥିସହ ବିଏସଏଫ ଅଧିକାରୀଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ । ପରେ ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଓ ଅନ୍ୟ ଅଧିକାରୀଙ୍କ ସହ ମାଓଦମନ ରଣନୀତି ନେଇ ଆଲୋଚନା କରିଥିଲେ । ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ କହିଛନ୍ତି, “୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନ ପୂରଣ କରିବା ପାଇଁ ଓଡ଼ିଶା ପୋଲିସ ଚେଷ୍ଟିତ । ଯେଉଁଠି ବି ନକ୍ସଲବାଦ ଅଛି ତାକୁ ଖୋଜି ବାହାର କରିବା ଓ ଉଚିତ ପଦକ୍ଷପ ନେବା ପାଇଁ ଆମର ଚେଷ୍ଟା ଚାଲିଛି । ପୂର୍ବର ଏବଂ ବର୍ତ୍ତମାନର ସ୍ବାଭିମାନ ଅଞ୍ଚଳରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ।