ଭୁବନେଶ୍ୱର(ରାଜ୍ୟକାହାଣୀ) ଥୁଆ ହୋଇଛି ବିରାଟକାୟ ମହିରାବଣ । ରୁଣ୍ଡ ହୋଇଛନ୍ତି ଲୋକେ । ସମସ୍ତଙ୍କ ଭିତରେ ଅସନ୍ତୋଷ । କାହିଁକିନା ଭଙ୍ଗ ହୋଇଛି ପୂର୍ବ ପରମ୍ପରା । ବସ୍ତା ଥାନା, କୁଡିଆ ପଞ୍ଚାୟତ ଅନ୍ତର୍ଗତ ବେଲା ଗ୍ରାମରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମରେ ରାବଣ ପୋଡ଼ି ମହୋତ୍ସବ ବନ୍ଦ ହେବାସହ ରାବଣକୁ ପୋତାଯାଇଛି। ସୂଚନା ଅନୁସାରେ, ରାବଣ ପୋଡ଼ି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସମସ୍ତେ ରାବଣ ପୋଡ଼ି ଓ ବାଣଫୁଟାକୁ ପ୍ରତୀକ୍ଷା କରୁଥିଲେ। ମାତ୍ର ପ୍ରଶାସନ ଅନୁମତି ଦେଲାନାହିଁ। ଫଳରେ ରାବଣକୁ ପୋଡ଼ାଯିବା ବଦଳରେ ପୋତାଗଲା ଏବଂ ହଜାର ହଜାର ଦର୍ଶକ ନିରାଶ ହେଲେ। ତେବେ ଚଳିତବର୍ଷ କାଳୀପୂଜାର ତିନି ଦିନ ପରେ ମହିରାବଣ ପୋଡି ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ପକ୍ଷରୁ ଏନେଇ ଅନୁମତି ମିଳିନଥିଲା । ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ମହିରାବଣ ପୋଡି ନିମନ୍ତେ ଅନୁମତି ପାଇଁ ବାରମ୍ବାର ନିବେଦନ କରିବା ପରେ ମଧ୍ୟ ଅନୁମତି ମିଳିନଥିଲା।
ଶେଷରେ ବିଫଳ ହେବା ପରେ ମହିରାବଣକୁ ପୋତି ଦେବାର ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ । ଏସବୁ ଘଟଣାକୁ ନେଇ ବିଧାୟିକା ନ ଆସିବାରୁ ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ଚରଣ ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଦେଖିବାକୁ ସନ୍ଧ୍ୟାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ଗ୍ରାମରେ ଛୋଟ ମେଳା ବସି ଶହେରୁ ଅଧିକ ଦୋକାନୀ ପସରା ମେଲାଇଥିଲେ। ମାତ୍ର କାର୍ଯ୍ୟକ୍ରମ ବାତିଲ ହେବାରୁ ସମସ୍ତେ ନିରାଶ ହୋଇଛନ୍ତି।ଅନ୍ୟ ପକ୍ଷରେ ପ୍ରଶାସନର ବିନା ଅନୁମତିରେ ବର୍ଷ ବର୍ଷ ଧରି ଗାଁରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଆସୁଥିବାବେଳେ ଚଳିତ ବର୍ଷ ଅଙ୍କୁଶକୁ ନେଇ ବହୁ ସଚେତନ ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି।