କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ମୃତା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦାବିରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଥିଲା। ଏବେ ପୁଣିଥରେ ଏହି ରାଜ୍ୟ ଚର୍ଚ୍ଚାକୁ ଆସିଛି। ଏଥର ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବାକୁ ଆସିଥିବା ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଟ୍ରାଙ୍କୁଲାଇଜିଂ ସିରମ୍ ଇଞ୍ଜେକ୍ସନ ଦେଇ ଅଚେତ କରାଇବା ପରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକି ନୁହେଁ, ଅସଂଯତ ଅବସ୍ଥାରେ ମହିଳାଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିବା ସହ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ ଡାକ୍ତର।ସ୍ବାମୀ ବାହାରେ ରହିଥିବାରୁ ସେ ସମ୍ପୂର୍ଣ୍ଣ ନିଃସହାୟ ହୋଇପଡ଼ିଥିଲେ। ସ୍ବାମୀ ଘରକୁ ଫେରିବା ପରେ ପୀଡ଼ିତା ସବୁ କଥା ତାଙ୍କୁ ଜଣାଇଥିଲେ। ସ୍ବାମୀ ତାଙ୍କୁ ସାନ୍ତ୍ୱନା ଦେବା ସହ ପୋଲିସରେ ଏତଲା ଦେବା ପାଇଁ ପ୍ରବର୍ତ୍ତାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଡାକ୍ତରଙ୍କୁ ଗିରଫ କରିଥିଲା। ତାଙ୍କୁ ଜିଲା ଅଦାଲତରେ ହାଜର କରାଇବା ପରେ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ମାଜିଷ୍ଟ୍ରେଟ୍ଙ୍କ ପାଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।