ଆଜି ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି

ଜାନୁଆରୀ ୩୦ ଆଜିର ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ଆଜି ବାପୁଙ୍କ ୭୪ ତମ ପୂଣ୍ୟ ତିଥି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଅନୁଷ୍ଠିତ ହେଉଛି । ତେବେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ , ଶୁକ୍ରବାର ସନ୍ଧ୍ୟା ସମୟ ୫:୧୭ ମିନିଟ୍ । ପ୍ରାର୍ଥନା ସଭାରେ “ନାଥୁରାମ ବିନାୟକ ଗଡସେ” ନାମକ ଜଣେ ମରହଟ୍ଟା ଯୁବକ ବାପୁଜୀଙ୍କ ସମ୍ମୁଖ ଭାଗରୁ ଗୁଳି କରି ତାଙ୍କୁ ହତ୍ୟା କଲେ । ବାପୁଙ୍କ ନିକଟରେ ସେତେବେଳେ ଥିଲେ ତାଙ୍କ ପ୍ରିୟ ନାତୁଣୀ “ମନୁ ଗାନ୍ଧୀ” । ପାଦ ଛୁଇଁବା ଆଳରେ “ନାଥୁରାମ” ଅତି ନିକଟରୁ ବାପୁଜୀଙ୍କୁ ଗୁଳି କରିଥିଲେ ।

ପ୍ରଥମ ଗୁଳିଟି ତାଙ୍କ ପେଟରେ ବାଜିଥିଲା । ସେ ସେହିମୁହୁର୍ତ୍ତରେ ଚିତ୍କାର କରି “ହେ’ ରାମ” ଉଚ୍ଚାରଣ କରିବା କାଳରେ ଆଉ ଦୁଇଟି ଗୁଳି ତାଙ୍କ ଛାତିରେ ବିଦ୍ଧ ହୋଇଥିଲା । ଘଟଣାଟି ଏତେ ଅପ୍ରତ୍ୟାଶିତ ଥିଲା ଯେ , “ମନୁ ଗାନ୍ଧୀ” ଏବଂ ଅନ୍ୟମାନେ କିଛି ଜାଣିବା ଓ ବୁଝିବା ପୂର୍ବରୁ ଭାରତର ସୂର୍ଯ୍ୟଙ୍କୁ ଅସ୍ତମିତ କରିଦିଆଗଲା । ବାପୁଙ୍କୁ ସମ୍ମାନ ଓ ଶ୍ରଦ୍ଧା ଅର୍ପଣ କରିବା ଉଦ୍ଦେଶ୍ୟରେ ଏହି ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି ।  ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ପ୍ରେରଣା  ଓ ସତ୍ୟର ଶକ୍ତି ସେ ସମୟରେ ଇଂରେଜମାନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲେ । ଦେଶ ପ୍ରତି ତାଙ୍କ ବଳିଦାନ ପାଇଁ ପ୍ରତିଟି ହୃଦୟରେ ସବୁବେଳେ   ବଞ୍ଚି ରହିବେ ଗାନ୍ଧୀଜୀ।  

Leave A Reply

Your email address will not be published.

3 × one =