ଭୁବନେଶ୍ଵର ( ରାଜ୍ୟ କାହାଣୀ) ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ସରକାର ମାର୍ଗଦର୍ଶିତା ଜାରି କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିବାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ।ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ।ନୂଆ ମାର୍ଗଦର୍ଶିକା ମୁତାବକ, ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ । ନୂଆ ବ୍ୟବସ୍ଥା ଅନୁସାରେ, ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ । ଏଥିପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧିନରେ ଥିବା ବ୍ଲକ୍ରେ ଖର୍ଚ୍ଚ ହେବ ।
ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧିନରେ ଆସୁଛି । ଏ ସବୁ ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେବେ । ବାକି ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ ।