ଭୁବନେଶ୍ଵର ( ରାଜ୍ୟ କାହାଣୀ) ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନ୍କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏହା ୨ ଦୁଇଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭକୁ ଉଦ୍ଘାଟନ କରିବେ।କନ୍କ୍ଲେଭ୍ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା । କନ୍କ୍ଲେଭ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ୍ ମଧ୍ୟ ଭାଗନେବେ ।ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨ ଦିନରେ ହେବାକୁ ଥିବା ଏହି କନ୍କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୪୦୦ ରୁ ଉର୍ଦ୍ଧ୍ବ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି । ଆଜି ପୂର୍ବାହ୍ଣ ୧୦ଟା ୩୫ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସକାଳ ୧୦.୨୫ରୁ ଦିନ ୧୧.୧୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ ହସ୍ପିଟାଲ ଛକ, ଏଜି ଛକ- ରାଜଭବବନ ଛକ- ପାଓ୍ୱାର ହାଉସ୍ ଛକ-୧୨୦ ବାଟାଲିୟନ ଛକ- ଜୟଦେବ ବିହାର ଛକ-ଜାଭିୟର ଛକ-ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ସେହିପରି ଅପରାହ୍ନ ୧୨.୨୦ ମିନିଟ୍ରୁ ଅପରାହ୍ନ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକ- ଜାଭିୟର ଛକ- ଜୟଦେବ ବିହାର ଛକ- ୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍ ଛକ- ରାଜଭବବନ ଛକ- ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ । ଭୁବନେଶ୍ବରରେ ମୋଦି ୨ ଘଣ୍ଟା ୨୦ମିନିଟ୍ ରହିବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରାଯାଇଛି ।