ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ୨୦୨୫ ।

ଭୁବନେଶ୍ୱର( ରାଜ୍ୟ କାହାଣୀ) ୨୫/୦୧: ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶାର ସାମଗ୍ରିକ ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ । ବିକଶିତ ଓଡିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଓଡିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ୨୦୨୫ । ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ । ୨୦୨୫ ଜାନୁଆରି ୨୮ରୁ ୩୦ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଓଡିଶାରେ ପୁଂଜିନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର‌୍ୟ୍ୟକ୍ରମ ହେବାକୁ ଯାଉଛି । ଏହା ଓଡ଼ିଶାର ଶିଳ୍ପ କ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ । ଓଡ଼ିଶାକୁ ଏକ ବୈଶ୍ୱିକ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ସହ ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଏହା ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।ମନ୍ତ୍ରୀ କହିଛନ୍ତି, ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ପୂର୍ବୋଦୟ ମିଶନ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ ଉତ୍କର୍ଷ ଓଡିଶା କନ୍‌କ୍ଲେଭ୍ ଓଡିଶାର ସାମଗ୍ରିକ ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବ । ଆମ ସରକାର ରାଜ୍ୟରେ ପୁଞ୍ଜିନିବେଶ, ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ।ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଏବଂ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା । ଭିନ୍ନ ଭିନ୍ନ କ୍ଷେତ୍ରଗତ ଶିଳ୍ପରେ ଦୃଷ୍ଟି ନିବଦ୍ଧ କରିବା ହିଁ ଶିଳ୍ପ ଅଭିବୃଦ୍ଧିର ଇଂଜିନ ହୋଇପାରିବ ବୋଲି ଆମ ସରକାର ବିଶ୍ୱାସ କରନ୍ତି । ତେଣୁ ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରମୁଖ ଶିଳ୍ପ କ୍ଷେତ୍ରରେ ପୁଂଜନିବେଶ ଉପରେ ବିଶେଷ ଧ୍ୟାନ ଦିଆଯିବ । ଖଣି, ରସାୟନ ଶିଳ୍ପ, ଧାତୁ ଶିଳ୍ପ, ବୟନଶିଳ୍ପ, ଅକ୍ଷୟ ଶକ୍ତି, ସବୁଜ ଶକ୍ତି ଏବଂ ଆଇଟି ଭଳି କ୍ଷେତ୍ରରେ ପୁଂଜିନିବେଶ ପାଇଁ ବିଶେଷ ଧ୍ୟାନ ଦିଆଯିବ । ଏହି ସମ୍ମଳନୀ ମାଧ୍ୟମରେ ଏସବୁ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜବିନିଯୋଗ ଓ ସହଭାଗିତା ବଢାଇବା ଉପରେ ଗୁୁରୁତ୍ୱ ଦିଆଯିବ ।ଏଥିପାଇଁ ଓଡ଼ିଶା ସରକାର ରୋଡ୍ ସୋ, କ୍ଷେତ୍ରୀୟ ରାଉଣ୍ଡଟେବୁଲ୍ ତଥା ବୃହତ ଶିଳ୍ପ ପ୍ରତିନିଧି ମାନଙ୍କ ସହ ସିଧାସଳଖ ଆଲୋଚନା ସମେତ ଏକ ଦୃଢ଼ ରଣନୀତି କାର‌୍ୟ୍ୟକାରୀ କରିଛନ୍ତି । ଆମ ରାଜ୍ୟର ନିବେଶ ଅନୁକୂଳ ନୀତି, ଅତ୍ୟାଧୁନିକ ଶିଳ୍ପ ଭିତିଭୂମି ଓ ଅର୍ଥନୀତି, ଜନସଂଖ୍ୟା ଏବଂ ଭୌଗୋଳିକ ଅବସ୍ଥିତି ବିଷୟରେ ମଧ୍ୟ ନିବେଶକମାନଙ୍କୁ ଅବଗତ କରୁଛୁ । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପାଇଁ ରାଜ୍ୟ ନିଜକୁ ଏକ ପ୍ରମୁଖ ପୁଞ୍ଜବିନିଯୋଗ ସ୍ଥଳ ଭାବେ ସ୍ଥାନିତ କରିବା ସହିତ ଏହି ପ୍ରୟାସରେ ଆଶାଜନକ ଫଳାଫଳ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।ଆମ ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ । ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା । ଦୀର୍ଘସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ଲାଭ ଯେପରି ରାଜ୍ୟର କୋଣ ଅନୁକୋଣରେ ପହଂଚି ପାରିବ ତାହା ସୁନିଶ୍ଚିତ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା, ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ (ବ୍ୟବସାୟ କରିବାରେ ସହଜତା ଆଣିବା) ଭଳି ଦୃଷ୍ଟିକୋଣ ସହ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଯୋଡ଼ି ହୋଇଛି । ଡବଲ୍ ଇଞ୍ଜିନ ସରକାରଙ୍କ ଆଭିମୁଖ୍ୟ ଦ୍ରୁତ ଅନୁମୋଦନ, ପ୍ରଶାସନିକ ସ୍ୱଚ୍ଛତା ଏବଂ ବ୍ୟବସାୟ ଅନୁକୂଳ ପରିବେଶର ପ୍ରତିଶ୍ରୁତି ମାଧ୍ୟମରେ ଓଡ଼ିଶାକୁ ବୈଶ୍ୱିକ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ।ଉତ୍କର୍ଷ ଓଡିଶା କନ୍‌କ୍ଲେଭ୍‌ରେ ଆମେ ଯେଉଁ କ୍ଷେତ୍ର ଗୁଡ଼ିକୁ ପ୍ରାଥମିକତା ଦେଉଛୁ ତାହା ଦୀର୍ଘକାଳୀନ ଶିଳ୍ପ ଅଭିବୃଦ୍ଧି ଏବଂ ନୂତନ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ବୟନଶିଳ୍ପ, ପୋଷାକ ନିର୍ମାଣ, ଆଇଟି/ଆଇଟିଇଏସ୍‌, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ସହ ଖାଦ୍ୟ ପ୍ରକ୍ରିୟାକରଣ ଭଳି ନିଯୁକ୍ତି ଭିତିକ କ୍ଷେତ୍ର ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ । ଓଡ଼ିଶାର ଶିଳ୍ପ ଭିତିଭୂମି ନିର୍ମାଣ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ଏହି ଶିଳ୍ପ କ୍ଷେତ୍ର ଗୁଡ଼ିକ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ।ଏଥିସହିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବାୟୋଟେକ୍ନୋଲୋଜି ଏବଂ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମଧ୍ୟ ଆମେ ଜୋର ଦେଉଛୁ । ଓଡ଼ିଶାର ଭବିଷ୍ୟତ ହେଉଛି ଏହାର ଶିଳ୍ପ ଭିତିଭୂମିରେ ବିବିଧତା ଆଣିବା । କେବଳ ଉଚ୍ଚ ଅଭିବୃଦ୍ଧି ନୁହେଁ ବରଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବା ଶିଳ୍ପର ଉପଯୋଗ କରିବା । ଗ୍ରିନ୍ ହାଇଡ୍ରୋଜେନ୍‌, ଗ୍ରିନ୍ ଆମୋନିଆ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇ ରାଜ୍ୟ ସବୁଜ ଶକ୍ତି ଏବଂ ସ୍ଥାୟୀ ଜ୍ଞାନକୌଶଳ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ।ଶିଳ୍ପ ଅଭିବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଭିତିଭୂମି । ଆମ ସରକାର ଏହି ଦିଗରେ ଅନେକ ଗରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତିି । ପୁଞ୍ଜିନିବେଶକୁ ସମର୍ଥନ କରିବା ପାଇଁ, ଆମେ ଉଭୟ ବିଦ୍ୟମାନ ଭିତିିଭୂମିର ଉନ୍ନତିକରଣ ସହ ନୂତନ ଭିତିଭୂମି ନିର୍ମାଣ ଉପରେ ଧ୍ୟାନ ଦେଉଛୁ । ଓଡ଼ିଶାର ତିନୋଟି ପ୍ରମୁଖ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରକୁ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରାଯିବା ସହ ଇଂଚୁଡି, ବାହୁଦା ଏବଂ ସୁବର୍ଣ୍ଣରେଖା ଭଳି ସ୍ଥାନରେ ନୂତନ ବନ୍ଦରର ବିକାଶ କରାଯାଉଛି । ଏହି ବନ୍ଦର ଗୁଡ଼ିକର ବିକାଶ ମାଧ୍ୟମରେ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଓଡିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।ଏହାବ୍ୟତୀତ, ଆମେ ଇଲେକ୍ଟ୍ରୋନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ବୟନଶିଳ୍ପ ଭଳି କ୍ଷେତ୍ର ପାଇଁ ଶିଳ୍ପ କରିଡର, ଉତ୍ସର୍ଗୀକୃତ ଶିଳ୍ପ ପାର୍କ ଏବଂ କ୍ଷେତ୍ର ନିର୍ଦ୍ଦିଷ୍ଟ କ୍ଲଷ୍ଟର ବିକଶିତ କରୁଛୁ । ବନ୍ଦର ସଂଯୋଗ ଏବଂ ଆଭ୍ୟନ୍ତରୀଣ ଜଳପଥ ସମେତ ଲଜିଷ୍ଟିକ୍ ଭିତିିଭୂମିର ସମ୍ପ୍ରସାରଣ ମଧ୍ୟ ଆମ ସରକାରଙ୍କ ସବୁଠାରୁ ବଡ ପ୍ରାଥମିକତା ଅଟେ । ଶିଳ୍ପ ଗୁଡ଼ିକ ପାଇଁ ନିରବଚ୍ଛିନ୍ନ କାର‌୍ୟ୍ୟକୁ ସମର୍ଥନ କରିବା ଲାଗି ରାଜ୍ୟରେ ଏକ ଡୁଆଲ୍ ଫିଡ୍ ନାଫଥା କ୍ରାକର ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯାଉଛି ।

Leave A Reply

Your email address will not be published.

11 + 9 =