ଭୁବନେଶ୍ୱର(ରାଜ୍ୟକାହାଣୀ ) ବିତ୍ତୀୟ ସ୍ୱାସ୍ଥ୍ୟରେ ଓଡ଼ିଶା ଦେଶରେ ନମ୍ବର ୱାନ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ଗୁଡିକର ବିତ୍ତୀୟ ସ୍ଥିତି ସମ୍ପର୍କରେ ନୀତି ଆୟୋଗ ଦେଇଥିବା ରିପୋର୍ଟ ଏହା ସ୍ପଷ୍ଟ। ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ବିତ୍ତୀୟ ସ୍ୱାସ୍ଥ୍ୟରେ ଏକ ନମ୍ବର ।ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ କରୁଛି ଓଡିଶା। ତେଣୁ ଓଡ଼ିଶାକୁ ନିତି ଆୟୋଗ ପ୍ରଶଂସା କରିଛି।ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା ହାସଲ କରିଛି। ଆର୍ଥିକ ପରିଚାଳନା କିଭଳି କରାଯାଏ ତାହାର ଏକ ବଡ଼ ଉଦାହରଣ ପାଲଟିଛି ଓଡ଼ିଶା। ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ରାଜସ୍ୱ ଖର୍ଚ୍ଚ ୫୩.୫ ପ୍ରତିଶତ ବୃଦ୍ଧି ପାଇଛି । ୪ ବର୍ଷରେ ପୁଞ୍ଜି ଖର୍ଚ୍ଚ ବଢିଛି ୪୨ ପ୍ରତିଶତ । ରାଜସ୍ୱ ସଂଗ୍ରହ ବୃଦ୍ଧି ଉଲ୍ଲେଖନୀୟ ରହିଛି । ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଖଣି ରାଜସ୍ୱ ଢେରେ ବଢିଛି। ୨୦୦୫-୦୬ ଆର୍ଥିକ ବର୍ଷରୁ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜସ୍ୱ ବଳକା ରାଜ୍ୟ ହେବାରୁ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ନିବେଶ ବଢ଼ିଛି। ଓଡ଼ିଶା ବିତ୍ତୀୟ ନିଅଣ୍ଟକୁ ନିମ୍ନରେ ରଖିବାକୁ ସକ୍ଷମ ହୋଇଛି ।