ଭୁବନେଶ୍ୱର(ରାଜ୍ୟକାହାଣୀ ) ପୁଣି ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି । ଆଜି ତାଙ୍କର ନିଲମ୍ବନ ଅବଧି ଶେଷ ହେଉଥିବାବେଳେ ଏହାକୁ ଆହୁରି ୬୦ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗତକାଲି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିଲା । ଏହାପୂର୍ବରୁ ଗତ ୨୨ ତାରିଖରେ ଏକ ସ୍ବତନ୍ତ୍ର ରିଭ୍ୟୁ କମିଟି ଏହି ନିଲମ୍ବନକୁ ନେଇ ସମୀକ୍ଷା କରିଥିଲେ। ପୂର୍ବରୁ ମଧ୍ୟ ୨ଥର ତାଙ୍କ ନିଲମ୍ବନ ଅବଧି ବୃଦ୍ଧି କରାଯାଇଥିଲା । । ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ ୨୦୨୪ ଜୁଲାଇ ୨୭ତାରିଖ ରାତିରେ ଇଓଡବ୍ଲ୍ୟୁରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ୟୁନିଟ୍-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରେ ମହିଳା ପୋଲିସ ଅଧିକାରୀଙ୍କ ସ୍ୱାମୀଙ୍କ ସହ ରାଜେଶପଣ୍ଡିତଙ୍କ ବଚସା ହୋଇଥିଲା । ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କ ଭାଇ ପିସିଆରକୁ ରାତି ପ୍ରାୟ ୯ଟା ୧୭ମିନିଟରେ କଲ୍ କରିଥିଲେ। ଏସଆଇ ପାହ୍ୟାର ଦୁଇଜଣ ପୋଲିସ ଅଧିକାରୀ ପହଂଚି ସମ୍ପୃକ୍ତ ଆଇପିଏସ୍ ଅଫିସର ଶ୍ରୀ ଉତ୍ତମରାଓଙ୍କୁ ବୁଝାସୁଝା କରି ସେଠାରୁ ପଠାଇଥିଲେ।
ଏହାପରେ କ୍ୟାପିଟାଲ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଜୁଲାଇ ୨୯ତାରିଖରେ ଏକ ଗୁପ୍ତ ରିପୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ପଠାଇଥିଲେ । ସେଥିରେ ଘଟଣା ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରିଥିଲେ । ଆଉ ସେହି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ଗୁରୁତ୍ୱର ସହ ନେଇ ଆଇପିଏସ୍ ଶ୍ରୀ ଉତ୍ତମରାଓଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ।