ଭୁବନେଶ୍ୱର(ରାଜ୍ୟକାହାଣୀ ) ଆକାଶରେ ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’ । ଓଡିଶା ଉପକୂଳ ଗୋପାଳପୁର ସମନ୍ବିତ କ୍ଷେପାଣାସ୍ତ୍ର ଘାଟିରେ ଏହି ସ୍ବଦେଶୀ ମିଶାଇଲର ପରୀକ୍ଷା କରାଯାଇଥିବା ବେଳେ, ପରୀକ୍ଷଣ ସଫଳ ହୋଇଛି । ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ କରିବାରେ ନିଖୁଣ ।ଏହି ପରୀକ୍ଷଣର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ୍ । ଦିନ ହେଉ ବା ରାତି । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା। ଦିନ ଓ ରାତି ଯେକୌଣସି ସମୟରେ ଟାର୍ଗେଟକୁ ଭେଦ କରିବାରେ କ୍ଷମତା ରଖିଛି ଆକାଶ ମିସାଇଲ। ଏବେ ଭାରତ ନିଜସ୍ବ ଜ୍ଞାନ କୌଶଳ ପ୍ରୟୋଗ କରି ବିଜ୍ଞାନର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛି । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ସଫଳତା ହାସଲ କରିଛି ଦେଶ । ପ୍ରଥମେ ତ, ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ ଉପରେ ଆଜି ପରୀକ୍ଷାମୂଳକ ଭାବେ ବନ୍ଦେ ଭାରତ ଟ୍ରେନ୍ ଚାଲିଥିବା ବେଳେ ସମାନ ସମୟରେ ଏକ ଘାତକ ଆକାଶ ମିଶାଇଲର ମଧ୍ୟ ସଫଳ ପରୀକ୍ଷଣ ହୋଇଛି ।