ଭୁବନେଶ୍ୱର(ରାଜ୍ୟକାହାଣୀ ) ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି।ଉଚ୍ଚଶିକ୍ଷା ବିଭାଗରେ ସ୍ନାତକ(+୩) କ୍ଷେତ୍ରରେ ଏହା ଲାଗୁ ହୋଇ ସାରିଥିବାବେଳେ ଛାତ୍ରଛାତ୍ରୀ ଯେଭଳି ଭାବେ ନିଜ ମାତୃଭାଷାରେ ପାଠ ପଢ଼ିବେ ସେ ଦିଗରେ କାମ ଚାଲିଛି। ପୁସ୍ତକ ଲେଖା ପାଇଁ ରାଜ୍ୟରେ ପ୍ରାୟ ୫୦ ଲେଖକଙ୍କୁ ମନୋନୀତ କରାଯାଇଛି । ଖୁବ୍ଶୀଘ୍ର ପୁସ୍ତକ ଲେଖା କାମ ଆରମ୍ଭ ହେବ।ପ୍ରଚଳିତ ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖ୍ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାକୁ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଦାୟିତ୍ବ ଦିଆଯାଇଛି। ପ୍ରଫେସର ଆଚାର୍ଯ୍ୟଙ୍କୁ ପୁସ୍ତକ ପ୍ରସ୍ତୁତି ପାଇଁ ନୋଡାଲ ଅଧିକାରୀ ଭାବେ ପୂର୍ବରୁ ଦାୟିତ୍ୱ ଦିଆଯାଇଥିଲା। ଏବେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ନାତକ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ମ୍ୟାନେଜମେଣ୍ଟ ଭଳି ପାଠ୍ୟକ୍ରମର ପ୍ରାୟ ୨୦ ପୁସ୍ତକ ପ୍ରାଥମିକ ଭାବେ ଲେଖାଯିବ।ଜାତୀୟ ଶିକ୍ଷା ନୀତିର ପାଠ୍ୟଖସଡ଼ା ମୁତାବକ ଏହି ପୁସ୍ତକ ଲେଖାଯିବ। ପୁସ୍ତକ ଲେଖା ପାଇଁ ସ୍ବତନ୍ତ୍ର ମାନଦଣ୍ଡ(ଏସଓପି) ପ୍ରସ୍ତୁତ କରାଯାଉଛି। ଏନେଇ ଏକ ବୈଠକ ହୋଇଥିବାବେଳେ ଖୁବ୍ଶୀଘ୍ର ପୁସ୍ତକ ଲେଖାର ନିୟମାବଳୀ ଚୂଡ଼ାନ୍ତ କରାଯିବ । ବହିଗୁଡ଼ିକ ଓଡ଼ିଆରେ ଲେଖାଯିବ। ନୂଆ ଶିକ୍ଷାନୀତି ଆଗରେ ମଧ୍ୟ ରହିଛି ଅନେକ ଚାଲେଞ୍ଜ । ଏ ନୀତିର ସଫଳ କାର୍ଯ୍ୟକାରିତା ପାଇଁ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଅତି ଜରୁରୀ । ତାଲିମପ୍ରାପ୍ତ ମାନବସମ୍ବଳ ନିଯୁକ୍ତି ଓ ଭିତ୍ତିଭୂମି ସୁଦୃଢ଼ କରିବାକୁ କେନ୍ଦ୍ର ଓ ରାଜ୍ୟର ତାଳମେଳ ମଧ୍ୟ ଆବଶ୍ୟକ ।