ଭୁବନେଶ୍ୱର(ରାଜ୍ୟକାହା) ପିଏମ୍ ପୋଷଣ ଯୋଜନାରେ କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାଙ୍କ ପାଇଁ ଖୁସି ଖବର । ପାଚକ-ପାଚିକାମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ।ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପରିପୂରକ ପୃଷ୍ଟି କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ପରି ଶସ୍ୟର ପରିବହନ ଖର୍ଚ୍ଚକୁ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପରିବହନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ସର୍ବାଧିକ ୭୫ଟଙ୍କା ଥିବାବେଳେ ଏବେ ୧୫୦ଟଙ୍କାକୁ ବୃଦ୍ଧି ପାଇଛି ।