ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା,ଫେବୃୟାରୀରୁ ନୂଆ ଦର

ଭୁବନେଶ୍ୱର(ରାଜ୍ୟକାହାଣୀ) ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି ।। ଏହା ସହ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏବେ ମାସକୁ ସର୍ବାଧିକ ୩୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨ ହଜାର ୫୨୦ ଟଙ୍କା ଏବଂ ୩୦୦ ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ୪ ହଜାର ୨୦୦ଟଙ୍କା ଦେଉଥିବାବେଳେ, ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୦୦ ରୁ ଉର୍ଦ୍ଧ୍ବ କିଲୋମିଟର ଗଲେ ୩ ହଜାର ୭୮୦ ଟଙ୍କା ଏବଂ ୩୦୦ ରୁ ୫୦୦କିଲୋମିଟର ପର୍ଯ୍ୟନ୍ତ ଗଲେ ୬ ହଜାର ୩୦୦ଟଙ୍କା ଦେବାକୁ ପଡ଼ିବ ।ଭୁବନେଶ୍ୱରୁ କଟକ ଅବା କଟକରୁ ଭୁବନେଶ୍ୱରରେ ଅଫିସ୍ କାର୍ଯ୍ୟ ପାଇଁ ଯାତାୟତ କରୁଥିବା ଅଫିସରମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି । ତେବେ ଗୋଟିଏ ଗାଡ଼ିକୁ ଯଦି ମିଳିତ ଭାବେ ଅଫିସରମାନେ(ସିଙ୍ଗଲ ଗାଡ଼ି ଉପଯୋଗ ପାଇଁ ଯୋଗ୍ୟ ଅଫିସର) ବ୍ୟବହାର କରିବେ ତା’ହେଲେ ସେମାନଙ୍କଠୁ ସମାନ ଭାବରେ ଭଡ଼ା ଭାଗଭାଗ କରି ଆଦାୟ କରାଯାଇପାରିବ ।ସଚିବ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଆରଡିସି ମାନେ ଏବେ ମାସିକ ୧୬୮୦ଟଙ୍କା ବଦଳରେ ୨୫୨୦ଟଙ୍କା ଦେବେ । ସେହିପରି ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ମିଳିତ ଭାବେ ଗାଡ଼ି ଉପଯୋଗ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି ।

ସେହିପରି, ସରକାରୀ ଗାଡ଼ି ପାଇଥିବା ଅନ୍ୟ ଅଫିସରଙ୍କୁ ମାସିକ ୧୪୦୦ଟଙ୍କା ପରିବର୍ତ୍ତେ ୨୧୦୦ଟଙ୍କା ଏବଂ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏସପି ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଭଡ଼ା ଦେବେ ।ଏହି ସଂଶୋଧିତ ଭଡ଼ା ଫେବୃୟାରୀ ପହିଲାରୁ ସେମାନଙ୍କୁ ଦେବାକୁ ପଡ଼ିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି ।

Leave A Reply

Your email address will not be published.

16 − 11 =