ଭୁବନେଶ୍ୱର(ରାଜ୍ୟକାହାଣୀ) ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହରେ ଠକିଗଲା ପରେ ମହିଳା ଜଣଙ୍କ ଅନୋନପାୟ ହୋଇ ଫିନାଇଲ ପିଇଥିବା ଜଣାପଡିଛି।ସୂଚନା ଅନୁଯାୟୀ, ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ନିରଲ ମୋଦୀଙ୍କୁ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ନରସିଂହପୁର ଅଞ୍ଚଳର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି । ନିରଲଙ୍କ ଅଭିଯୋଗ ଅନୁସାରେ, ନିରଲଙ୍କର ଏକ ଆଇଟି କମ୍ପାନି ଥିଲା। ଏଠାରେ କାମ କରୁଥିଲେ ମନୋଜ। ଏଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟ ବିବାହ କରିଥିଲେ। ତେବେ ପ୍ରେମ ବିବାହ ପରେ ମନୋଜ, ନିରଲଙ୍କୁ ଗାଁରେ ବ୍ୟବସାୟ ଆରମ୍ଭ କରିବାକୁ କହି ଲୋନ ଆଣିବାକୁ କହିଥିଲେ। ନିରଲ ମଧ୍ୟ ନିଜ ଘର ଏବଂ କମ୍ପାନି ବନ୍ଧକ ରଖି ପର୍ଯ୍ୟାୟ କ୍ରମେ ପ୍ରାୟ ୫ କୋଟି ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସ୍ତ୍ରୀ ଓ ପୁଅକୁ ଛାଡ଼ି ଫେରାର ହୋଇଗଲେ ସ୍ବାମୀ। ଏହାରି ମଧ୍ୟରେ କମ୍ପାନି ବନ୍ଦ ହୋଇଗଲାଣି, ବନ୍ଧା ରଖିଥିବା ଘର ମଧ୍ୟ ନିଲାମ ହେବାକୁ ବସିଲାଣି। ପରେ ଯୁବତୀ ଜଣକ ନିଜ ସ୍ୱାମୀଙ୍କ ସନ୍ଧାନରେ ଖୋଜି ଖୋଜି ଆସି ଭଦ୍ରକ ବନ୍ତ ଥାନା ଅଂଚଳରେ ପହଂଚିଥିଲେ। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକଙ୍କ କୌଣସି ଖୋଜ ଖବର ନ ପାଇ ଆଜି ସେ ବନ୍ତ ଥାନାକୁ ଯାଇଥିଲେ ଓ ସେଠାରେ ଥାନା ସାମ୍ନାରେ ଫିନାଇଲ ପିଇ ଦେଇଥିଲେ।ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।