ଭୁବନେଶ୍ୱର(ରାଜ୍ୟକାହାଣୀ) ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ । ତେଣୁ ଉପଜିଲ୍ଲାପାଳ ଭାବରେ, ଏହି ଯୌତୁକ ନିଷେଧ ଅଧିନିୟମ, ୧୯୬୧ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ସହିତ ଏହି ଆଇନର ଦୁରୂପଯୋଗକୁ ରୋକିବାରେ ଉପଜିଲ୍ଲାପାଳଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଓଡ଼ିଶାରେ ଉପଜିଲ୍ଲାପାଳ ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି ।ଏହି ଆଇନ ଅନୁଯାୟୀ ଯୌତୁକ ନିଷେଧ ଅଧିକାରୀମାନଙ୍କୁ ଯୌତୁକ ମାମଲାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ଅନୁସନ୍ଧାନ କରିବା ଏବଂ ପ୍ରମାଣ ସଂଗ୍ରହ କରିବାକୁ କ୍ଷମତା ପ୍ରଦାନ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସେ ଉପଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାମାନଙ୍କ ସମ୍ମାନ ପାଇଁ ଏହା ଏକ ବଡ ପଦକ୍ଷେପ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।