ଭୁବନେଶ୍ୱର(ରାଜ୍ୟକାହାଣୀ) ଭାଙ୍ଗିଲା ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ଆଶ୍ରମ ଉପରେ ଚାଲିଲା ବୁଲ୍ଡୋଜର୍ । ନିର୍ଦ୍ଧାରିତ ସମୟ ୧୨ଟାରେ ଚାଲିଲା ବୁଲଡୋଜର୍ ।ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍।ଆଜି ଆଶ୍ରମ କୋଠାକୁ ଭାଙ୍ଗିବା ଆରମ୍ଭ କରିଛି ବୁଲଡୋଜର । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାମ ଶେଷ କରିବା ଚେଷ୍ଟା କରାଯିବ । ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ।ତେବେ ଆଶ୍ରମ ପରିସରରେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଆଶ୍ରମ ପରିସରରେ ବ୍ୟାପକ ପୁଲିସ ଛାଉଣୀ ହୋଇଛି। ତେବେ ଆଶ୍ଚର୍ଯ୍ୟ କଥା ହେଲା ଯେବେ ବୁଲ୍ଡୋଜର୍ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କଲା ସେହି ଗହଳି ଭିତରେ କାନ୍ଦୁଥିଲେ ଭକ୍ତ ଜଣଙ୍କ । ମ୍ରିୟମାଣ ହୋଇ ପଡୁଛନ୍ତି ଦୁଃଖରେ । ହାତ ଯୋଡି ଭୋ ଭୋ ହୋଇ ତଳେ ଗଡିଯାଉଛନ୍ତି । କହୁଛନ୍ତି ମହାପ୍ରଭୁ ଯଦି କିଛି ଭୁଲ୍ ହେଇଛି କ୍ଷମା କର । ଏଇ ଭକ୍ତଙ୍କ ବିଶ୍ୱାସ ଆଗରେ ସମସ୍ତେ ନିସ୍ତବ୍ଧ । ଧର୍ମ ନାଁରେ ଠକୁଥିବା ବାବାଙ୍କୁ ସେ ମହାପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି । ସବୁ ସତ ଜାଣିକି ବି ସେ ସତକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ସେ ବିଶ୍ୱାସ କରିପାରୁନାହାନ୍ତି ଯାହାକୁ ସେ ଭଗବାନର ଆକ୍ଷା ଦେଇଥିଲେ ସେ ଏବେ ଆତ୍ମଘୋଷିତ । ତଥାପି ଏ ଭକ୍ତ କାନ୍ଦି କାନ୍ଦି ବେଦମ୍ । ଯେତେ ବୁଝାଇଲେ ବି ବୁଝିବାକୁ ନାରାଜ । ତେବେ ଏ ଦୃଶ୍ୟ ଦେଖି ଅନେକ ଲୋକ ଅନେକ ମତ ଦେବେ କିନ୍ତୁ କଥାରେ ଅଛି ବିଶ୍ୱାସ ମୂଳେ ସର୍ବସିଦ୍ଧି ।