ଭୁବନେଶ୍ୱର(ରାଜ୍ୟକାହାଣୀ) ଦେଶରେ ଏବେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ସଂକ୍ରମଣ ହେଉଛି। ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି। ସଦ୍ୟତମ ରିପୋର୍ଟ ଅନୁସାରେ କେତେକ ରାଜ୍ୟରେ ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ହେଉଛି। ତେବେ ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି। ତେଣୁ ଭୂତାଣୁକୁ ନେଇ ଆତଙ୍କୀତ ନହେବାକୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଜନସଚେତନତା ଓ ସତର୍କତା ଦ୍ୱାରା ସଂକ୍ରମଣକୁ ସହଜରେ ପ୍ରତିହତ କରାଯାଇପାରିବ। ତେଣୁ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି।‘‘ଏଚଏମପିଭି ଭାଇରସ୍ ୫ ବର୍ଷରୁ କମ୍ ବୟସ୍କ ପିଲା, ଶ୍ଵାସରୋଗୀ, ବ୍ରୋଙ୍କାଇଟିସ୍ ରୋଗୀ, ହୃଦ୍ରୋଗ ପୀଡ଼ିତ, ବିବିଧ ରୋଗକ୍ରାନ୍ତ ବ୍ୟକ୍ତି, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଓ ୬୫ ବର୍ଷରୁ ବୟସ୍କଙ୍କୁ ପାଇଁ ଖୁବ୍ ଶୀଘ୍ର ସଂକ୍ରମିତ କରିଥାଏ। ଏମାନେ ଯଥାସମ୍ଭବ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଦରକାର। ଯଦି ଯିବା ଜରୁରୀ ମାକ୍ସ ଲଗାଇବା ସହ ସାନିଟାଇଜର ବ୍ୟବହାର କରିବା ଉଚିତ ।