ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଭାଙ୍ଗିପାରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଦିନ 12ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମାଇକ ଯୋଗେ ଆଜି ପ୍ରଚାର କରି ଏଭଳି ଘୋଷଣା କରାଯାଇଛି । ତେବେ ଆଶ୍ରମ ଖାଲି କରିବା ପରେ ବିଡିଓ ଏହି ଆଶ୍ରମକୁ ଭାଙ୍ଗିବ ।ଏହି ବିବାଦୀୟ ଆଶ୍ରମ ସରକାରୀ ଜାଗାରେ ଗଢ଼ି ଉଠିଥିବା ଅଭିଯୋଗ ହୋଇଥିଲା । ନଭେମ୍ବର ମାସରେ ସାମ୍ନାକୁ ଆସିଥିଲା ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ ବିବାଦ । ପ୍ରଥମେ ନାବାଳକଙ୍କୁ କଳକୀ ଅବତାର ସଜାଇ ଧର୍ମ ନାଁରେ ଚାଲିଥିଲା ବେପାର। ପ୍ରବଚନ ପାଇଁ ଜମୁଥିଲା ତଥାକଥିତ ବାବାଙ୍କ ଦରବାର । ଆଶ୍ରମକୁ ବିଦେଶୀ ଭକ୍ତଙ୍କ ଅବାଧ ଯିବାଆସିବା ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗେଟ ଖୋଲୁନଥିଲା । ବୈକୁଣ୍ଠ ଧାମର ଏକ ଘରେ ରହୁଥିଲେ ବିଦେଶୀ ଭକ୍ତ ।ବିବାଦର ମୂଳ କାରଣ ଥିଲା କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ଫଳରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିବାଦ। ଆଉ ହୋଇଥିଲା ଆଇନଗତ ତନାଘନା।