ଭୁବନେଶ୍ୱର(ରାଜ୍ୟକାହାଣୀ) ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି । ସୋମବାର ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କା କ୍ଷତିପୂରଣ ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ବୀମା କମ୍ପାନୀମାନଙ୍କ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିଛି ।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା ପଞ୍ଜୀକୃତ ଚାଷୀ ଫସଲବୀମା ପୋର୍ଟାଲରେ ମୋଟ ୨,୦୦,୭୨୯ଟି ପ୍ଲଟରେ କ୍ଷତି ହୋଇଥିବାର ଆବେଦନ କରିଥିଲେ । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୭,୯୬୯ ସଂଖ୍ୟକ ଆବେଦନ ପତ୍ର ମିଳିଥିବା ବେଳେ ଗଞ୍ଜାମ ସମେତ ଗଜପତି, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ, କଟକ,ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରୁ ମୋଟ ୧,୬୨,୯୭୨ ସଂଖ୍ୟକ ଆବେଦନ ପତ୍ର ମିଳିଥିଲା ।ଏହି ସମସ୍ତ ଆବେଦନକୁ ଭିତ୍ତି କରି ତୁରନ୍ତ କ୍ଷେତ୍ରୀୟ ସ୍ତରରେ ଫସଲ କ୍ଷତି ଆକଳନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଚାରି ଗୋଟି ବୀମା କମ୍ପାନୀ ଯଥା, ଆଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନି ଅଫ୍ ଇଣ୍ଡିଆ ଲିମିଟେଡ, ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ, ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନସ୍ୟୁରାନ୍ସ ଲିମିଟେଡ ଏବଂ ରିଲାଏନ୍ସ ଜିଆଇସି ଲିମିଟେଡଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୀମା କମ୍ପାନୀ ପକ୍ଷରୁ ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସୁଚାରୁରୂପେ ଜାରି ରହିଛି ।