ଭୁବନେଶ୍ୱର(ରାଜ୍ୟକାହାଣୀ) ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି।ସୂଚନା ଥାଉକି, ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା । କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ପରେ ଦେହ ଅସୁସ୍ଥ ହେବାରୁ ମହେନ୍ଦ୍ରର ଚିକିତ୍ସା ଜାରି ରହିଥିଲା ।
ମୃତ୍ୟୁବେଳକୁ ତାର ଆନୁମାନିକ ବୟସ ୬୬ ବର୍ଷରୁ ଅଧିକ ହୋଇଥିଲା । କିଛି ବର୍ଷ ପୂର୍ବେ ସୁନ୍ଦରୀ ନାମ୍ନୀ ବାଘ ଅନୁଗୋଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିଲା। ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖିବା ତଥା ତାହାକୁ ଟ୍ରାକିଂ କରିବା ନିମନ୍ତେ ମହେନ୍ଦ୍ରକୁ ୪ ବର୍ଷ ଅନୁଗୋଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା। ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା। ତେବେ ମହିନ୍ଦ୍ରାର ସ୍ବାସ୍ଥ୍ୟ ସାମାନ୍ୟ ଖରାପ ଥିବାବେଳେ ହଠାତ ମୃତ୍ୟୁ ବରଣ କରିଛି। ତେବେ ଶିମିଳିପାଳ ପାଇଁ ମହିନ୍ଦ୍ରାର କର୍ତ୍ତବ୍ୟ ଚିରଦିନ ପର୍ଯ୍ୟନ୍ତ ରହିବ ବୋଲି ପ୍ରାଣୀପ୍ରେମୀମାନେ ପ୍ରକାଶ କରିଛନ୍ତି। ସୋମବାର ପ୍ରାଣୀ ଡାକ୍ତର ଓ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।