ପୁରୀ ବେଳାଭୂମିରେ ଗୁରୁବାର ମହୋଦଧି ଆଳତିର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପୁରୀ ଜଗତଗୁରୁ ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ଭାରତକୁ ହିନ୍ଦୁ ରାଷ୍ଟ୍ର ରାଷ୍ଟ୍ର ଘୋଷଣା କରାଯାଉ। ଏହାଦ୍ବାରା ଅନ୍ୟ ୨୩ ଦେଶ ହିନ୍ଦୁ ରାଷ୍ଟ୍ର ଘୋଷଣା ହୋଇପାରିବେ ।ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଆମେ କେବଳ ଖାଇବା ପାଇଁ ନ ବଞ୍ଚି, ୨୪ ଘଣ୍ଟାରେ ଅତିକମ୍ରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଞ୍ଚ ଥର ମହାପ୍ରଭୁଙ୍କ ଭଜନ, କୀର୍ତ୍ତନ କରିବା ଜରୁରୀ। ଆମଠାରେ ସଚ୍ଚିଦାନନ୍ଦ ସ୍ବରୂପ ସର୍ବେଶ୍ବରଙ୍କ ବଳ ଥିଲେ, ଆମ ଜୀବନରେ ଅଦ୍ଭୂତ ଶକ୍ତି ଓ ପ୍ରାଣଶକ୍ତିର ଉଦ୍ରେକ ହେବ। ଶଙ୍କରାଚାର୍ଯ୍ୟ କହିଛନ୍ତି, ଭାରତ ବିଶ୍ବର ହୃଦୟ। ରାଜନୀତିର ପରିଭାଷା ବେଦ ଆଦି ଶାସ୍ତ୍ର ଅନୁସାରେ ନିର୍ଦ୍ଧାରିତ ଓ କ୍ରିୟାନ୍ବିତ ହେବା ଜରୁରୀ। ତା’ହେଲେ ଭାରତର ଉପଯୋଗ ଓ ବିନିଯୋଗ ବିଶ୍ବର ହିତରେ ଲାଗି ପାରିବ। ସୁସଂସ୍କୃତି, ସୁଶିକ୍ଷିତ, ସୁରକ୍ଷିତ ସଂପନ୍ନ ସେବା ପରାୟଣ ମନୋଭାବ ସହ ସୁସ୍ଥ ଓ ବ୍ୟକ୍ତିଙ୍କ ସଂରଚନା ବେଦାଦି ଶାସ୍ତ୍ର ଦ୍ବାରା ଗଠନ ହୋଇପାରିବ। ମାତୃଶକ୍ତି ସୁରକ୍ଷିତ ରହିପାରିବ। ବେଦାଦି ଶାସ୍ତ୍ରକୁ ନ ମାନିଲେ ଜୀବନ ଦୁର୍ବିସହ ହୋଇପଡ଼ିବ। ରକେଟ୍, କମ୍ପ୍ୟୁଟର, ମୋବାଇଲ୍ ଯୁଗରେ ବି ସନାତନ ସିଦ୍ଧାନ୍ତକୁ ଅନୁସରଣ କରି କିଛି ବ୍ୟକ୍ତିବିଶେଷ ନିଜ ନିଜ ମାର୍ଗ ପ୍ରଶସ୍ତ କରିଛନ୍ତି, ଯାହା ବେଦାଦି ଶାସ୍ତ୍ର ଆଧାରିତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେ ପୁଣି କହିଛନ୍ତି ପୁରୀ ବେଳାଭୂମି ମହୋଦଧି ତୀର୍ଥ ଭାବେ ପ୍ରସିଦ୍ଧ; କିନ୍ତୁ ଏ ଏହାର ପବିତ୍ରତା ଏବଂ ଆଧ୍ଯାତ୍ମକ ପରିବେଶ ରକ୍ଷା କରାଯାଉ ନାହିଁ । ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।