ଉଭୟ ପତିପତ୍ନୀଙ୍କ ସହମତି ବିନା ହୋଇପାରିବନି ବିଚ୍ଛେଦ ଫଇସଲା- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର(ରାଜ୍ୟକାହାଣୀ) ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ। ରାୟ ପୂର୍ବରୁ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ।ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୧୩(ଖ)ରେ ସମ୍ମତିକ୍ରମେ ସ୍ବାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି। ଯଦି ଏଭଳି ମାମଲା ବିଚାରାଧୀନ ଥିବା ବେଳେ ଦୁଇଜଣଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରନ୍ତି, ତେବେ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ। ଧାରା ୧୩(ଖ)ରେ ମଞ୍ଜୁର କରାଯାଉଥିବା ବିବାହ ବିଚ୍ଛେଦ ଆଦେଶର ମୂଳ ତତ୍ତ୍ବ ହେଉଛି ସମ୍ମତି। ତେଣୁ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କ ସମ୍ମତି ନ ରହିଲେ ଧାରା ୧୩(ଖ) ଅନୁସାରେ ବିବାହ ବିଚ୍ଛେଦ ଆଦେଶ ଦିଆଯାଇ ପାରିବ ନାହିଁ। ଏପରିକି ମାମଲାରେ ଯୁକ୍ତି ଉପସ୍ଥାପନ ‌ସଂପୂର୍ଣ୍ଣ ପରେ ବି ଦମ୍ପତିଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରି ପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।ବାଲେଶ୍ୱର ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ରାୟ ସଂରକ୍ଷିତ ବେଳେ ସ୍ତ୍ରୀ ସମ୍ମତି ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ। ରାୟ ପ୍ରକାଶର ୪ ଦିନ ପୂର୍ବରୁ ସ୍ତ୍ରୀ ସମ୍ମତି ପ୍ରତ୍ୟାହାର କରିଥିଲେ। ତେବେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ବାଲେଶ୍ୱର ଫ୍ୟାମିଲି କୋର୍ଟ।

ଏହି ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ। ହାଇକୋର୍ଟ ସ୍ତ୍ରୀଙ୍କ ଆବେଦନକୁ ଗ୍ରହଣ ମଧ୍ୟ କରିଥିଲେ। ଫ୍ୟାମିଲି କୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ସାନି ଶୁଣାଣି କରି ୬ ମାସରେ ଫଇସଲା କରିବେ ବାଲେଶ୍ୱର ପରିବାର ଅଦାଲତ।ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତଙ୍କ ଆଦେଶ ବିରୋଧରେ ସ୍ତ୍ରୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.

4 × five =