ଭୁବନେଶ୍ୱର(ରାଜ୍ୟକାହାଣୀ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଦେଇଛନ୍ତି ଆଳୁ ଝଟକା। ପୁଣି ମମତା ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ୪ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବାରୁ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନାହିଁ। ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡୁଛି। ଏହି କାରଣରୁ କିଛିଦିନର ବ୍ୟବଧାନ ପରେ ଆଳୁ ଦର ପୁଣି ବୃଦ୍ଧି ପାଇଛି। ବେପାରୀ ମନଇଛା ଚଢ଼ା ଦରରେ ଆଳୁ ବିକ୍ରି କରୁଛନ୍ତି।ଆଇଗିଣିଆ ଆଳୁ ଗଦିରେ ଉତ୍ତରପ୍ରଦେଶ ଆଳୁ କୁଇଣ୍ଟାଲ୍ ପିଛା ୨୪ଶହ ଟଙ୍କା ଏବଂ ପଶ୍ଚିମବଙ୍ଗ ଆଳୁ କୁଇଣ୍ଟାଲ୍ ୨୫ଶହ ଟଙ୍କା ରହିଛି। ପାଇକାରୀ ମୂଲ୍ୟ ୨୪ରୁ ୨୫ ଟଙ୍କା ଥିବାବେଳେ ଖୁଚୁରାରେ ଆଳୁ କି.ଗ୍ରା. ୪୦ଟଙ୍କାରେ ବିକ୍ରି ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟ ସରକାର ଆଳୁ ମିଶନ ଅବଧି ବୃଦ୍ଧି କରିଥିବା ବେଳେ ଅକ୍ଟୋବରରୁ ଚାଷୀଙ୍କୁ ପ୍ରାମାଣିକ ଆଳୁ ବିହନ ଯୋଗାଣ କରିଛନ୍ତି। ପ୍ରାୟ ୧. ୬୦ଲକ୍ଷ କୁଇଣ୍ଟାଲ୍ ଆଳୁ ବିହନ ଯୋଗାଣ କରାଯାଇଥିବା ବେଳେ ଆଉ କିଛିଦିନ ପରେ ନୂଆ ଆଳୁ ଅମଳ ହେବ। ଅମଳ ପରେ ଦର ସ୍ଵାଭାବିକ ସ୍ଥିତିକୁ ଆସିବ ବୋଲି କୁହାଯାଉଛି।