ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ପ୍ରେସ କନଫରେନ୍ସ ଜରିଆରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।ରାଜଧାନୀ ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବ । ଏହାପୂର୍ବରୁ ବିଧାନସଭା ଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ୨୦୨୦ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଆମ ଆଦମୀ ପାର୍ଟି ବିଜୟ ପାଇଥିଲା ।ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ ରହିବ । ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବକାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।