ଭୁବନେଶ୍ୱର(ରାଜ୍ୟକାହାଣୀ) ସିଂହଦ୍ବାର ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭକ୍ତ ଓ ପର୍ଯ୍ୟଟକଙ୍କୁ ବିକ୍ରି ପାଇଁ ରଖାଯାଇଥିବା ଖଜାକୁ ଏକ ବୁଲା କୁକୁର ଖାଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବଡ଼ ଓ ଆଶ୍ଚର୍ଯ୍ୟକର କଥା ହେଉଛି , ଖଜା ବିକ୍ରି ହେଉଥିବା ସ୍ଥାନରେ ଜଣେ ମହିଳା ବି ବସି ବ୍ୟବସାୟ କରୁଛନ୍ତି। ଆଉ ଆଖପାଖରେ ଲୋକେ ବି ଯାଆସ କରୁଛନ୍ତି। କିନ୍ତୁ କେହି ବି କୁକୁରଟିକୁ ଘଉଡାଉନଥିବା ଦେଖିବାକୁ ମିଳିଛି। ଖଜା ବ୍ୟବସାୟ କରୁଥିବା ଉଠା ଦୋକାନୀ ଜଣକ ଦୋକାନ ଛାଡ଼ି କେଉଁଆଡେ ଚାଲିଯାଇ ଥିବା ବେଳେ ଘଟିଛି ଏଭଳି । ଦୋକାନର କେହି ନଥିବାର ସୁଯୋଗ ନେଇ ଖଜାକୁ କୁକୁର ଖାଉଛି। ଆଉ ଦେଖଣାହାରୀ ବି ଚୁପ୍। ପୁରୀ ଖଜା ପ୍ରତି ସମସ୍ତଙ୍କର ଗଭୀର ଭକ୍ତି ଓ ବିଶ୍ୱାସ ରହିଛି। ଏହାକୁ ଖଜା ମହାପ୍ରସାଦ ଭାବି ଭକ୍ତ ଶ୍ରଦ୍ଧାରେ କିଣିଥା’ନ୍ତି। ଯଦିଓ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ, ତଥାପି ଶ୍ରଦ୍ଧାଳୁମାନେ ଭକ୍ତି ଓ ବିଶ୍ୱାସର ସହ ଏହାକୁ କିଣିଥା’ନ୍ତି। ତେବେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଖଜା ଝୁଡ଼ିରୁ ବୁଲା କୁକୁର ଖଜା ଖାଇବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଏହା ବେଶ୍ ଉଦ୍ବେଗଜନକ ଘଟଣା। ଖଜା ହେଉ କି ଯେକୌଣସି ଖାଦ୍ୟ ପଦାର୍ଥର ଶୁଦ୍ଧତା ଜରୁରୀ ବୋଲି କହିଛନ୍ତି |