ରାଜସ୍ଥାନ କୋଟପୁତଲୀରେ ବୋରୱେଲକୁ ଖସିପଡିଥିବା ୩ ବର୍ଷର ଝିଅ ଚେତନା ଜୀବନ ଯୁଦ୍ଧ ହାରି ଯାଇଛି। ଚେତନାକୁ ବୋରୱେଲରୁ ୧୦ମ ଦିନରେ ବାହାର କରାଯାଇଛି। ବୋରୱେଲରୁ ବାହାରିବାମାତ୍ରେ ତାକୁ ବିଡିଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଛନ୍ତି। ହସ୍ପିଟାଲର ଜିଲ୍ଲା କଲେକ୍ଟର କଳ୍ପନା ଅଗ୍ରୱାଲଙ୍କ ସମେତ ଅନ୍ୟ ଉଚ୍ଚ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଡିସେମ୍ବର ୨୩ ତାରିଖରେ ରାଜସ୍ଥାନର କୋଟପୁଟଲିର ବାଡିଆଲି ଗାଁରେ ୩ ବର୍ଷର ଚେତନା ବୋରୱେଲକୁ ଖସି ପଡ଼ିଥିଲା। ସେବେଠାରୁ ପ୍ରଶାସନ, ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ନାବାଳିକାଙ୍କୁ ଉଦ୍ଧାର କରିବା ରେ ଲାଗିପଡ଼ିଥିଲେ।ଏହି ଅପରେସନ ୧୦ ଦିନ ଧରି ଚାଲିଥିଲା ।ତିନି ବର୍ଷର ଚେତନାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା । ଏହି ସମୟରେ ବୋରୱେଲ ଭିତରକୁ ଅକ୍ସିଜେନ ମଧ୍ୟ ଛଡାଯାଉଥିଲା ସେତେବେଳେ ମଧ୍ୟ କ୍ୟାମେରାରେ ଝିଅର ମୁଭମେଣ୍ଟ ଦେଖା ଯାଉନଥିଲା। ଡିସେମ୍ବର ୨୬ ତାରିଖ ଦିନ ଉଦ୍ଧାର ଅଭିଯାନ ନିମନ୍ତେ ଉତ୍ତରାଖଣ୍ଡରୁ ସ୍ପେଶାଲ ଟିମକୁ ଡକାଯାଇଥିଲା। ଏହା ପରେ ପାଇଲିଂ ମେସିନରେ ଲଗାତାର ଗାତ ଖୋଳିବା ଆରମ୍ଭ ହୋଇଥିଲା। ୨୭ ତାରିଖ ଦିନ ‘ରାଟ୍ ମାଇନର୍ସ’ଙ୍କ ସହାୟତା ନିଆଯାଇଥିଲା। ଏହି ମାଇନରମାନେ ଉତ୍ତରାଖଣ୍ଡରେ ଗତବର୍ଷ ଫଶିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ।
ଏହିପରି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କେବଳ ଖୋଳାଖୋଳି କାମ ଚାଲିଥିଲା। ଶେଷରେ ୧୭୦ ଫୁଟ ତଳେ ବୋରୱେଲକୁ ଟ୍ରେସ୍ କରାଯାଇଥିଲା ଓ ନୂଆ ବର୍ଷ ୧ ଜାନୁୟାରୀରେ ଚେତନାକୁ ବୋରୱେଲରୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୧୦ ଦିନ ଧରି ଉଦ୍ଧାର କାର୍ୟ୍ୟ ଚାଲିଥିଲେ ମଧ୍ୟ ନାବାଳିକାକୁ ବଞ୍ଚାଇ ପାରିନଥିଲା ।