ଭୁବନେଶ୍ୱର(ରାଜ୍ୟକାହାଣୀ) ବନ୍ଧୁ ହେଉକି ବାନ୍ଧବୀଙ୍କୁ ଯୋଡୁଥିଲା କାଗଜର ଖଣ୍ଡିଏ ଫର୍ଦ୍ଦ। ସେଥିରେ ଅତି ସଂକ୍ଷେପ ଶବ୍ଦରେ ଅନେକ କିଛି କହି ହେଇଯାଉଥିଲା। କିଛି ମନ ଭାଙ୍ଗୁଥିଲା ତ କିଛି ସବୁଦିନ ପାଇଁ ପ୍ରତିଶ୍ରୁତିବଦ୍ଧ ହେଇଯାଉଥିଲେ। ମୁହାଁ ମୁହିଁ କହି ହେଉ ନଥିବା କଥା ବି ଲେଖି ଦେଉଥିଲେ। ତାର ଭାବାବେଗ ରହିଥିଲା ପୂରା ଅଲଗା। ହୃଦୟକୁ ହୃଦୟ ସହ ବନ୍ଧୁକୁ ବନ୍ଧୁ ସହ ବାନ୍ଧି ରଖୁଥିଲା । ଦିନ ଥିଲା ବର୍ଷ ସରି ଆସିବା ବେଳକୁ ଖୋଜା ପଡୁଥିଲା ଗ୍ରୀଟିଂସ୍ କାର୍ଡ। ଖୋଲୁଥିଲା ମାଳ ମାଳ ଗ୍ରୀଟିଂସ୍ ଦୋକାନ। ହେଲେ ଆଧୁନିକତାର ଛାପରେ ଏବେ ହଜିବାକୁ ବସିଲାଣି ଏଇ ସୁନ୍ଦର ଧାରା। ଫୋନ୍ କଲ୍ ଓ ହ୍ବାଟ୍ସଆପ୍ ମେସେଜ୍ରେ ସୀମିତ ହୋଇଗଲାଣି ନବବର୍ଷର ଶୁଭେଚ୍ଛା ବାର୍ତ୍ତା। ନା ସେଥିରେ ଅଛି ଆନ୍ତରିକତା ନା ସରସତା। କହିବାକୁଗଲେ ଯାନ୍ତ୍ରିକ ଦୁନିଆରେ ମଣିଷ ହୋଇଗଲାଣି ଯନ୍ତ୍ରବତ୍। ଆଉ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ହଜାର ହଜାର କିଲୋମିଟର ଦୂରରେ ଥିବା ସମ୍ପର୍କୀୟଙ୍କୁ ନୂଆ ବର୍ଷର ବର୍ତ୍ତା ନିମିଷକ ମଧ୍ୟରେ ପ୍ରେରଣ କରୁଛନ୍ତି । ଆଉ ତା’ରି ଭିତରେ ଏବେ ପରିଚୟ ଖୋଜୁଛି ଗ୍ରୀଟିଂସ୍ କାର୍ଡ ।