ମାରୁତି ୮୦୦ କାର୍ ଆଣି ଭାରତୀୟ କାର୍ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ହୋଇଥିତ୍ଲା। ସେ ରକ୍ତ କର୍କଟରେ ପୀଡ଼ିତ ଥିଲେ ବୋଲି ଶୁକ୍ରବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଓସାମୂ ନିଜ କାର୍ଯ୍ୟକାଳରେ ୪୦ରୁ ଅଧିକ ସୁଜୁକୀ ମୋଟର କର୍ପୋରେସନର ନେତୃତ୍ବ ନେଇଥିଲେ। ତାଙ୍କ ଅଧ୍ୟକ୍ଷତାରେ ସୁଜୁକୀ ଛୁଇଁଥିଲା ସଫଳତାର ଶୀର୍ଷ। ୨୦୨୧ରେ ୯୧ ବର୍ଷ ବୟସରେ ସେ କମ୍ପାନିରୁ ଅବସର ନେଇଥିଲେ। ଓସାମୂଙ୍କ ଜନ୍ମ ୧୯୩୦ ଜାନୁଆରୀ ୩୦ରେ ଜାପାନର ଗେରୋ ସହରରେ ହୋଇଥିଲା। ଜାପାନର ସୋଫିଆ ବିଶ୍ବବିଦ୍ୟାଳୟରୁ ସେ ପାଠପଢ଼ା ଶେଷ କରିଥିଲେ। ଏହା ପରେ ସେ ଅନେକ ଦିନ ଧରି ବ୍ୟାଙ୍କରେ ଚାକିରି କରିଥିଲେ। ତେବେ ୧୯୫୮ରେ ସୁଜୁକୀ ପରିବାରର ଶୋକୋ ସୁଜୁକୀଙ୍କୁ ବିବାହ କରିଥିଲେ ଏବଂ ପତ୍ନୀଙ୍କ ଠାରୁହିଁ ସୁଜୁକୀ ସାଙ୍ଗିଆ ନେଇଥିଲେ। ଆଉ ସେହି ବର୍ଷ ହିଁ ସୁଜୁକୀରେ ସାମିଲ ହୋଇଥିଲେ।
କମ୍ପାନିରେ ଷ୍ଟ୍ରାଟେଜିକ ଏବଂ ମ୍ୟାନେଜମେଣ୍ଟରେ ବଡ଼ ଭୂମିକା ନିଭାଇ ସେ ନିଜ ଦକ୍ଷତା ପ୍ରତିପାଦନ କରିପାରିଥିଲେ। ଆଉ କମ୍ପାନିରେ ଯୋଗଦେବାର ୨୦ ବର୍ଷ ଅର୍ଥାତ୍ ୧୯୭୮ରେ ତାଙ୍କୁ ସୁଜୁକୀ ମୋଟରରେ ଅଧ୍ୟକ୍ଷ ପଦ ମିଳିଥିଲା ଏବଂ ୨୦୦୦ ମସିହାରେ ସେ କମ୍ପାନିର ଚେୟାରମ୍ୟାନ ହୋଇଥିଲେ। ଭାରତ ଭଳି ବିକାଶୋନ୍ମୁଖୀ ବଜାରଗୁଡ଼କ ପାଇଁ କମ୍ପାକ୍ଟ ଏବଂ କମ୍ ଦାମ୍ର କାର୍ ନିର୍ମାଣ ଉପରେ ତାଙ୍କର ଫୋକସ୍ କମ୍ପାନୀକୁ ଅନ୍ୟଠାରୁ ଅଲଗା କରିଥିଲା। ୨୦୨୩ ଆର୍ଥତ୍କ ବର୍ଷରେ ତାଙ୍କର ସବ୍ସିଡିଆରି କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିଃର ଭାରତୀୟ କାର୍ ବଜାରର ୪୧.୭ ପ୍ରତିଶତ ଶେୟାର ଥିଲା।