ଭୁବନେଶ୍ୱର(ରାଜ୍ୟକାହାଣୀ) ହାତରେ ସ୍ୱାମୀଙ୍କର ପାସପୋର୍ଟ ଫଟୋଟିଏ ଧରି ଚାହିଁଛନ୍ତି ପତ୍ନୀ । ଛଳ ଛଳ ଆଖିରେ ଏକ ଲୟରେ ଚାହିଁରହିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଚିକଣା ପଞ୍ଚାୟତରେ ଘଟିଛି। ମୃତକ ହେଲେ ମଣିଭଦ୍ର ମହାନ୍ତି । ମଣିଭଦ୍ର ଧାରକରଜ କରି ୩ ଏକର ଜମିରେ ଧାନ ଚାଷ କରିଥିଲେ । ମାତ୍ର ଅଦିନିଆ ବର୍ଷା ଯୋଗୁ ବିଲରେ ଧାନ ଗଜା ହୋଇଗଲା । ନିଜ ବିଲ ଦେଖିବାକୁ ଯାଇଥିବା ମଣିଭଦ୍ର ଏହା ସହି ପାରିଲେନି। ଆଉ ଅତ୍ୟଧିକ ମାନସିକ ଚାପ ଯୋଗୁ ସେଠାରେ ହିଁ ବେହୋସ ହୋଇଗଲେ। ସ୍ଥାନୀୟ ଲୋକେ ଓ ପରିବାର ବର୍ଗଙ୍କ ସହାୟତାରେ ତାଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ମଣିଭଦ୍ରଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।ଆଜି ସକାଳେ କେନ୍ଦ୍ରାପଡ଼ାର ଜଣେ ଚାଷୀ କୀଟନାଶକ ପିଇ ଦେଇଥିବା ବେଳେ କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ାର ଜଣେ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ସେହିପରି ବ୍ରହ୍ମପୁରର ଜଣେ ଚାଷୀ ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିଲେ।