ମନମୋହନ ସିଂହଙ୍କ ବିୟୋଗ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା 

ଭୁବନେଶ୍ୱର(ରାଜ୍ୟକାହାଣୀ) ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଛି । ଗୁରୁବାର ରାତିରେ ଦିଲ୍ଲୀ ଏମ୍‌ସରେ ମନମୋହନ ସିଂହଙ୍କ ପରଲୋକ ହୋଇଯାଇଛି।  ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା। ଅନ୍ୟପକ୍ଷେ ଏକ ଶୋକବାର୍ତ୍ତାରେ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ସିଂହଙ୍କୁ ଜଣେ ଦକ୍ଷ ପ୍ରଶାସକ, ଭଲ ସାଂସଦ ଓ ଯଶସ୍ବୀ ଅର୍ଥନୀତିଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି । ଦେଶର ଅର୍ଥନୈତିକ ସଂସ୍କାରର ସେ ଥିଲେ ସୂତ୍ରଧାର, ଯାହାକି ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛି । ଭାରତକୁ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବରେ ଗଢି ତୋଳିଛି । ତାଙ୍କର ବିୟୋଗରେ ଦେଶ ଜଣେ ମହାନ ବିଭୁତିଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରି ଡକ୍ଟର ସିଂହଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

five × 5 =