ସାରା ଦେଶରେ ଶୋକର ଛାୟା । ଆଉ ନାହାନ୍ତି ଉଦାରୀକରଣ ଅର୍ଥନୀତିର ସ୍ଥପତି । ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଗତକାଲି ୯୨ ବର୍ଷ ବୟସରରେ ତାଙ୍କର ପରଲୋକ ହୋଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ।ଆଜି ଶେଷ ଦର୍ଶନ ପାଇଁ ଦିଲ୍ଲୀ ଏମ୍ସରୁ ତାଙ୍କ ପାର୍ଥିବ ଶରୀର ବାସଭବନକୁ ନିଆଯାଇଛି । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର ହେବ ।ଦିନ ପ୍ରାୟ ୧୧ଟାରେ ଶେଷକୃତ୍ୟ ହେବ । ଏହା ପୂର୍ବରୁ ଦିଲ୍ଲୀର ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ । ବିଦେଶରେ ରହୁଥିବା ତାଙ୍କ ଝିଅ ଭାରତରେ ପହଞ୍ଚିବା ପରେ ଡ. ମନମୋହନ ସିଂହଙ୍କୁ ଅନ୍ତିମ ବିଦାୟ ଦିଆଯିବ । ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଶୁକ୍ରବାର ସମସ୍ତ ସରକାର କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମନମୋହନ ସିଂହଙ୍କ ବିୟୋଗରେ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକରେ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି ।