ଭୁବନେଶ୍ୱର(ରାଜ୍ୟକାହାଣୀ) କ୍ୟାଲେଣ୍ଡର ବର୍ଷ-୨୦୨୪ ସରିବାକୁ ଯାଉଥିବା ବେଳେ ନୂଆବର୍ଷ-୨୦୨୫ ଚାରିଦିନ ପରେ ଆସିବ। ନୂଆବର୍ଷକୁ ନେଇ ଯୁବପିଢ଼ି ବେଶ ଉତ୍ସାହିତ ଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି। ତେବେ ନୂଆବର୍ଷ ଶାନ୍ତିର ସହିତ ଅତିକ୍ରମ କରୁ ବୋଲି ପୁଲିସ ବିଭାଗ ଆଶା କରୁଛି। ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆବର୍ଷ ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରିଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦିଆଯିବ । ସେଳିବ୍ରେଶନ ବେଳେ କିଭଳି କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଦୃଷ୍ଟି ଦିଆଯିବ। ‘ଡ୍ରଙ୍କ ଆଣ୍ଡ ଡ୍ରାଇଭ୍’ ଉପରେ ବେଶି ଗୁରୁତ୍ବ ଦିଆଯିବ । କାରଣ ବିଗତ ଦିନରେ ଅନେକ ଦୁର୍ଘଟଣା ହେବା ଦେଖାଦେଇଛି । ସଜାଗ ଓ ସଚେତନ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ସାରା ଭୁବନେଶ୍ୱର ସିସିଟିଭି ସର୍ଭେଲାନ୍ସ ରହିବ। ଅଘଟଣ ନହେବା ଉପରେ ଗୁରୁତ୍ଵ ଦିଆଯିବ। ଯେଉଁମାନେ ସର୍ବସାଧାରଣ ସ୍ଥାନରେ ସେଲିବ୍ରେସନ୍ ପାର୍ଟି କରିବେ ସେମାନେ ଲାଇସେନ୍ସ ନେବାକୁ ବାଧ୍ୟ ହେବେ। କିନ୍ତୁ ପ୍ରାଇଭେଟ୍ ପାର୍ଟି ପାଇଁ ଲାଇସେନ୍ସ, ଆବଶ୍ୟକ ନାହିଁ। ଚୋରା ମଦ କାରବାର ଉପରେ ନଜର ରଖିଛୁ। ଅବକାରୀ ବିଭାଗ ସାଙ୍ଗେ ମିଶି ଚଢ଼ାଉ ହେବ। ବ୍ଲକିଂ, ଯାନବାହନ ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ଚଢ଼ାଉ ହେବ। ସବୁ ଥାନାକୁ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି।