ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟପାଳ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ପରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ଭାଜପାର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି। ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି। ୨୦୩୬ ବେଳକୁ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ଆଶା ପ୍ରକଟ କରୁଛି। ତେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟପାଳ ଭାବେ ଇସ୍ତଫା ଦେବା ପରେ ପୁଣି ଥରେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରଘୁବର ଝାଡଖଣ୍ଡ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି। ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ରଘୁବର ଦାସଙ୍କ ଇସ୍ତଫା ଦେଇ ସାରିଥିବା ବେଳେ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।୧୯୫୩ ମସିହା ଜୁନ୍ ୧୫ତାରିଖରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମିତ କମ୍ଭାମପତି ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଂଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଂଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ବର୍ଷ ଧରି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।