ଭୁବନେଶ୍ୱର(ରାଜ୍ୟକାହାଣୀ) ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଯାହାଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉପକୂଳ ସହ ଅଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । କୋହଲା ପାଗ ସହ ଝିପି ଝିପ ବର୍ଷା ଜାରି ରହିଛି । ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ। କେଉଁଠି ପାଚିଲା ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ ଭିଜୁଛି । ବର୍ଷାରେ ବିଲରେ ପାଣି ଜମି ରହିଛି । ଦୁଇ ଦିନ ହେଲା ବର୍ଷା ଜାରି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଚାଷୀଙ୍କ ଆଖିରେ ଲୁହ ଭରିଛି । ପନିପରିବା ଫସଲ ପାଇଁ ମଧ୍ୟ ବର୍ଷା ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା ।ପାଣିପାଗ ବିଭାଗ ଅନୁସାରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଖୋର୍ଦ୍ଧା ସହରାଞ୍ଚଳରେ ସର୍ବାଧିକ ୪୦ ମିଲିମିଟର ବର୍ଷା ହୋଇଥିବା ବେଳେ ପାରାଦୀପରେ ୨୭.୮ ମିମି, ଭୁବନେଶ୍ୱରରେ ୧୬.୭, ନୟାଗଡ଼ରେ ୧୮, ଜଗତସିଂହପୁରରେ ୧୮.୧, କଟକରେ ୯.୬, ରାୟଗଡ଼ାରେ ୫.୬, କୋରାପୁଟରେ ୬.୨, ଦାରିଙ୍ଗିବାଡ଼ିରେ ୬, ଗୋପାଳପୁର ୮.୨, ପୁରୀରେ ୫.୨, ଛତ୍ରପୁରରେ ୫ ମିମି ବର୍ଷା ହୋଇଥିବା ବେଳେ ବହୁ ଜାଗାରେ ହାଲୁକା ବର୍ଷା ହୋଇଛି ।