ଭୁବନେଶ୍ୱର(ରାଜ୍ୟକାହାଣୀ) ମହଙ୍ଗା ହୋଇପାରେ ବିଜୁଳି । ବିଜୁଳି ବିଲ୍ ବାବଦରେ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା । ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି ।ଗ୍ରିଡକୋ ଦର୍ଶାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି କରିବାକୁ ଯୋଜନା ରହିଛି। ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହେବ। ଗ୍ରିଡକୋ ଆହୁରି କହିଛି ଯେ, ରିଟର୍ଣ୍ଣ ଅନ୍ ଇକ୍ବିଟିକୁ ବାଦ୍ ଦିଆଗଲେ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରିଡକୋ କ୍ଷତି ସହିବ। ୨୦୨୫-୨୬ରେ ଗ୍ରୀଡକୋ ପ୍ରସ୍ତାବକୁ ଯଦି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ମାନି ନିଅନ୍ତି, ତେବେ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବଢ଼ିବ । ସେସୁ, ୱେସକୋ, ନେସ୍କୋ ଏବଂ ସାଉଥ କୋ କମ୍ପାନୀକୁ ଟାଟାକୁ ବିକ୍ରି ସମୟରେ ବକେୟା ଅର୍ଥ ଏଯାଏ ପରିଶୋଧ ହୋଇନି । ଚଳିତ ବର୍ଷ ନିର୍ବାଚନ ବର୍ଷ ଥିବାରୁ ବିଜୁଳି ଦର ବଢି ନଥିଲା । ବିଦ୍ୟୁତ ଶୁଳ୍କ ବଢ଼ିଲେ କୋଟିଏ ଉପଭୋକ୍ତା ପ୍ରଭାବିତ ହେବା ଆଶଙ୍କା ରହିଛି ।