ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରେମ ପାଇଁ ପୁରା ପରିବାର ଏବେ ରାସ୍ତାରେ । ଆଖିରୁ ବୋହି ପଡୁଛି ଲୁହ । ପାଉଁଶ ହୋଇଯାଇଛି ପୁରା ଘର । ଏଭଳି ଘଟଣା ଦେଖିବାକୁ ମିଳିଛି ଧାମନଗର ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଗୋପାଳ ସାହିରେ । ଏନେଇ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକା ଅପରାଜିତା ଦାସ ।ବିଦ୍ୟାଧରପୁର ଗାଁର ରମେଶ ଦାସଙ୍କ ପୁଅ ଜ୍ୟୋତିରଞ୍ଜନ ଗୋପାଳ ସାହିର ଅପରାଜିତାଙ୍କୁ ଭଲ ପାଉଥିଲେ । କିଛି ଦିନ ଧରି ସେମାନଙ୍କ ଦେଖା ହୋଇନଥିବାରୁ ଜ୍ୟୋତିରଞ୍ଜନ ତାଙ୍କ ସହ ଦେଖା କରିବାକୁ ଅପରାଜିତାଙ୍କୁ ବାଧ୍ୟ କରୁଥିଲେ । ହେଲେ ଅପରାଜିତା ରାଜି ନହେବାରୁ ତାଙ୍କୁ ବାରମ୍ବାର ଧମକ ଦେବା ପରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।ଧାମନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଗୃହରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଧ୍ୱଂସ ହୋଇଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଧାନ, ଚାଉଳ ଠାରୁ ଆରମ୍ଭ କରି କଂସା, ବାସନ ସୁନା, ଅଳଙ୍କାର ଟିଭି, ଫ୍ରିଜ୍ ସମେତ ଘରର ସମସ୍ତ ଆସବାବ ପତ୍ରକୁ ମିଶାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଏନେଇ ନିରଞ୍ଜନଙ୍କ ଭାଇ ରମାକାନ୍ତ ଓ ଝିଆରି ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।