ଭୁବନେଶ୍ୱର(ରାଜ୍ୟକାହାଣୀ)ଆଜି ନୌସେନା ଦିବସ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ଦିବସ ଅବସରରେ ଯବାନମାନେ ଜଳ, ସ୍ଥଳ ଓ ଆକାଶ ପଥରେ ବିଭିନ୍ନ ଦୁଃସାହସିକ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । କରାଚି ଉପରେ ଆକ୍ରମଣ ସ୍ମୃତିରେ ଆଜିର ଦିବସକୁ ପାଳନ କରୁଛି ନୌସେନା । ତେବେ ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗରେ ଯୁଦ୍ଧକୌଶଳ ଦେଖାଇବେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ। ଓଡ଼ିଶାରେ ପ୍ରଥମଥର ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଭବ୍ୟ ରାଷ୍ଟ୍ରୀୟ ଉତ୍ସବ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଲକ୍ଷାଧିକ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଲାଗୁ ହୋଇଛି ଟ୍ରାଫିକ କଟକଣା । ପୁରୀରେ ୨୦ଟି ଅତିରିକ୍ତ ସ୍ଥାନରେ ଗାଡି ପାର୍କିଂ ବ୍ୟବସ୍ଥା ହୋଇଛି । ସହରରେ ନିୟୋଜିତ ହୋଇଛନ୍ତି ୮୫ ପ୍ଲାଟୁନ୍ ଫୋର୍ସ । ବେଳାଭୂମିରେ ମୁତୟନ ହେବେ ଅତିରିକ୍ତ ୩ଶହ ଲାଇଫ ଗାର୍ଡ । ପର୍ଯ୍ୟଟକମାନେ ୪ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ଜେଟ୍ ନୌସେନା ଦିବସରେ ସେମାନଙ୍କ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ।