ଭୁବନେଶ୍ୱର(ରାଜ୍ୟକାହାଣୀ) ଶ୍ରେଣୀ ଗୃହ ଛାତ ଉପରୁ ଫ୍ୟାନ ଖସି ଶିକ୍ଷୟତ୍ରୀ ଆହତ ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ କରଣ୍ଡିଆଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନମିତା ରାୟ ପିଲାଙ୍କୁ ଡ୍ରେସ ବାଣ୍ଟିବା ସମୟରେ ଶ୍ରେଣୀ ଗୃହର ଛାତରୁ ଫ୍ୟାନ ଖସି ଶିକ୍ଷୟତ୍ରୀଙ୍କ ମୁଣ୍ଡ ଉପରେ ପଡିଥିଲା ଏବଂ ମୁଣ୍ଡର ବାମ ପାଖରେ ଆଘାତ ଲାଗିଛି ।ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସୌଭାଗ୍ୟକୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି।ଅଭିଯୋଗରୁ ପ୍ରକାଶ, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶ୍ରେଣୀଗୃହରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ବର୍ଷା ଋତୁରେ ଶ୍ରେଣୀ ଗୃହ ଛାତରୁ ପାଣି ଗଳୁଥିବା ବେଳେ କଂକ୍ରିଟ୍ ଖଣ୍ଡ ଖସୁଛି। ଶ୍ରେଣୀ ଗୃହ କାନ୍ଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ପ୍ରତିକ୍ଷଣେ ଜୀବନ ପ୍ରତି ବିପଦ ରହିଛି। ତଥାପି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଛନ୍ତି।ଅନେକ ଦିନରୁ ଶ୍ରେଣୀ ଗୃହ ଓ ରୋଷେଇ ଗୃହ ପାଇଁ ପ୍ରଶାସନ କୁ ଦାବି ଜଣାଇ ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର ।