ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହେଲାବେଳେ ରାଜ୍ୟ ବିଧାନସଭାରେ ତଥ୍ୟ ମନ୍ତ୍ରୀ ରଖିଛନ୍ତି |ରାଜ୍ୟରେ ଲୋକଙ୍କ ଆବଶ୍ୟକତାଠୁ ଅଧିକ ପିଆଜ ଉତ୍ପାଦନ ହେଉଛି, ହେଲେ ତା ସତ୍ତ୍ୱେ ବି ପିଆଜ ଦର ବଜାରରେ ୭୦ ଉପରେ ବିକ୍ରି ହେବା ଅନେକଙ୍କୁ ଆଶ୍ଚର୍ୟ୍ୟ କରିଛି ।ବୁଧବାର ବିଧାନସଭା ଶୀତ ଅଧିବେଶନରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ପିଆଜ ମିଶନ ଆଉ ରାଜ୍ୟରେ କେତେ ପରିମାଣରେ ପିଆଜ ଉତ୍ପାଦନ ହେଉଛି ସେନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ କେଭି ସିଂ ଦେଓ । ହେଲେ ମନ୍ତ୍ରୀଙ୍କ ଉତ୍ତରରୁ ଯେଉଁ ତଥ୍ୟ ଆସିଥିଲା, ତାହା ଆଶ୍ଚର୍ୟ୍ୟ କଲା ଭଳି । ରାଜ୍ୟରେ ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ୍ ପିଆଜର ଆବଶ୍ୟକତା ରହିଥିବାବେଳେ, ରାଜ୍ୟରେ ୪.୨୦ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହେଇଥିଲା । ହେଲେ ତା ସତ୍ତ୍ୱେ ବି ଏବେ ବଜାରରେ ପିଆଜ ଦର ୭୦ ପାର୍ କରିଛି । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ପିଆଜ ମିଶନ ଯୋଜନା କାର୍ଯ୍ୟକାରୀ ହେଇନାହିଁ । ଏଥିପାଇଁ ରାଜ୍ୟ ରାଜକୋଷରୁ ମଧ୍ୟ କୌଣସି ଅର୍ଥ ବରାଦ କରାଯାଇନି। ତେବେ ବର୍ତ୍ତମାନ ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ପୁରୁଣା ପିଆଜର ଗଚ୍ଛିତ ପରିମାଣ ହ୍ରାସ ଆଉ ନୂଆ ପିଆଜ ଅମଳରେ ବିଳମ୍ବ କାରଣରୁ ଦାମ ବୃଦ୍ଧି ପାଉଥିବା କୁହାଯାଇଛି।