ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ୍ ସିଂହ ସିଧୁଙ୍କ ଧର୍ମପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଧୁଙ୍କ ପତ୍ନୀ ନବେଜାତ୍ କୌର ବର୍ତ୍ତମାନ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ଉପନୀତ ହୋଇଥିବାବେଳେ ସେ ଅତିବେଶିରେ ଆଉ ୪୦ ଦିନ ବଞ୍ଚିବେ ବୋଲି ଡାକ୍ତରମାନେ କହିଥିଲେ। ଏହାପରେ ସିଧୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ଯେ ଆୟୁର୍ବେଦ ଔଷଧ ସେବନ କରି ତାଙ୍କ ପତ୍ନୀ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି।ତେବେ ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।ସେ କରିଥିବା ଦାବିକୁ ସିଦ୍ଧ କରିବା ପାଇଁ ୭ ଦିନ ଭିତରେ ପ୍ରମାଣ ନଦେଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି। ଏଥିସହ ଦାବିରେ ସତ୍ୟତା ନଥିଲେ କ୍ଷମା ମାଗିବାକୁ କୁହାଯାଇଛି। ବହୁ ଡାକ୍ତର ମଧ୍ୟ ଏଭଳି ଦାବିକୁ ଦୃଢ଼ ବିରୋଧ କରିଛନ୍ତି ଏବଂ ଏହା ବିଜ୍ଞାନ ଆଧାରିତ ନୁହେଁ ବୋଲି କହିଛନ୍ତି।କ୍ୟାନସର ଚତୁର୍ଥ ଷ୍ଟେଜରୁ ଆରୋଗ୍ୟ ପାଇଁ କେମୋ ଥେରାପି ସହ ଅସ୍ତ୍ରୋପଚାର ବି ହୋଇଥିଲା । ତେବେ ଏଥିସହ ସ୍ପେଶାଲ ଡାଏଟ୍ ଭାବେ ସେ ସକାଳୁ ଖାଲି ପେଟରେ ଉଷୁମ ଲେମ୍ବୁ ପାଣିରେ କଞ୍ଚା ହଳଦୀ ଓ ଗୋଟିଏ ପାଖୁଡା ରସୁଣ ଖାଉଥିଲେ।
ଅଧଘଣ୍ଟା ପରେ ୧୦ରୁ ୧୨ଟି ନିମ୍ବ ପତ୍ର ଓ ତୁଳସୀ ପତ୍ର ସହ ଅଦା, ଡାଲଚିନି ଓ ଗୋଲମରିଚ ଖାଉଥିଲେ। ଶ୍ୱେତସାର ଯୁକ୍ତ ଖାଦ୍ୟ, ଚିନି, କ୍ଷୀର, ରିଫାଇନ୍ ତେଲ ବନ୍ଦ କରିବା ସହ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଡିନର କରୁଥିଲେ। ଖାଇବାରେ ଲମ୍ବା ବ୍ୟବଧାନ କର୍କଟ କୋଷକୁ ମାରିବାର କ୍ଷମତା ରଖୁଥିବାରୁ ୧୪ ଘଣ୍ଟା ଖାଲି ପେଟରେ ରହୁଥିଲେ। ତେବେ ଏଭଳି ଦାବିକୁ ଭ୍ରମାତ୍ମକ ବୋଲି ନୋଟିସରେ ଦର୍ଶାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।ସୂଚନାଯୋଗ୍ୟ ନଭେମ୍ବର ୨୧ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଧୁ କହିଥିଲେ ଯେ ଡାକ୍ତରମାନେ ତାଙ୍କ ପତ୍ନୀଙ୍କୁ ୪୦ ଦିନର ମହଲତ ଦେଇଥିବାବେଳେ ଆୟୁର୍ବେଦ ଔଷଧ ସେବନ କରି ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଛନ୍ତି।