ହାରିଗଲେ ହିଁ ଇଭିଏମ୍ ଟ୍ୟାମ୍ପର ଅଭିଯୋଗ କିନ୍ତୁ କାହିଁକି ?

ନିର୍ବାଚନରେ ବାଲାଟ ପେପର ବ୍ୟବହାର ଆବେଦନ ଖାରଜ। ଆଜି ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVMs) ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଜଣେ ଆବେଦନକାରୀ କେଏ ପାଲ୍ ଆବେଦନ କରିଥିଲେ।ମାମଲାର ଶୁଣାଣି କରୁଥିବା ବିକ୍ରମ ନାଥ ଏବଂ ପିବି ବରାଲେଙ୍କ ଖଣ୍ଡପୀଠ କହିଛନ୍ତି “ଏ କ’ଣ ହେଉଛି, ଆପଣ ଯେତେବେଳେ ନିର୍ବାଚନ ଜିତୁଛନ୍ତି ସେତେବେଳେ ଇଭିଏମ୍‌ ଟ୍ୟାମ୍ପର ହେଉନାହିଁ। ହେଲେ ଯେତେବେଳେ ହାରିଯାଉଛନ୍ତି ସେତେବେଳେ ଟ୍ୟାମ୍ପର ହୋଇଛି ବୋଲି ଅଭିଯୋଗ କରୁଛନ୍ତି।”ସେହିପରି ଆବେଦନକାରୀ ପାଲ୍ ମଧ୍ୟ ନିର୍ବାଚନରେ କ୍ୟାଶ୍-ଫର୍-ଭୋଟ୍ ଉପରେ ରୋକ୍ ଲଗାଇବାକୁ ଆବେଦନ କରିଛନ୍ତି। ଯେଉଁମାନେ ନିର୍ବାଚନ ସମୟରେ ଭୋଟରଙ୍କୁ ଟଙ୍କା, ମଦ କିମ୍ବା ସାମଗ୍ରୀ ଦେଇ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ସେପରି ପ୍ରାର୍ଥୀଙ୍କୁ ଅତି କମରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିବାକୁ ଆବେଦନ କରିଥିଲେ ପାଲ୍।

ଏ ଉପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ, “ଆପଣଙ୍କ ପାଖରେ ଆକର୍ଷଣୀୟ PIL(ଜନସ୍ୱାର୍ଥ ମକଦ୍ଦମା) ସବୁ ରହିଛି। ଏପରି ଉଚ୍ଚକୋଟୀର ଚିନ୍ତାଧାର ପାଇଲେ କିପରି?”ଆବେଦନକାରୀ ପାଲ୍ କହିଥିଲେ ଯେ ସେ ଏକ ସଂଗଠନର ସଭାପତି ଅଛନ୍ତି। ଏହି ସଂଗଠନ ଅସହାୟ ପିଲା ଓ ମହିଳାମାନଙ୍କୁ ସାହାଯ୍ୟ କରିଥାଏ। ଏହା ଶୁଣି ସୁପ୍ରିମକୋର୍ଟ କହିଛନ୍ତି, “ତେବେ ଆପଣ କାହିଁକି ଏପରି ରାଜନୈତିକ ଲଢେଇ ଭିତରେ ପଶୁଛନ୍ତି? ଆପଣଙ୍କ କାର୍ଯ୍ୟ କ୍ଷେତ୍ର ତ ଭିନ୍ନ।”

Leave A Reply

Your email address will not be published.

eighteen − fifteen =