ଭୁବନେଶ୍ୱର(ରାଜ୍ୟକାହାଣୀ)ବାଂଲାଦେଶରୁ ଜଣେ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଇଥିବା ଅଭିଯୋଗରେ ଦମ୍ପତ୍ତିଙ୍କୁ ଗିରଫ କରିଛି ମଧୁପାଟଣା ପୋଲିସ । ଅଭିଯୁକ୍ତ ଦୁହେଁ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ରହୁଥିବା ରାଜସ୍ଥାନର ୫୫ ବର୍ଷିୟ ବୀରା ଗୁଜ୍ଜର ଚୌଧୁରୀ ଓ ତାଙ୍କ ପତ୍ନୀ ୩୬ ବର୍ଷୀୟ ଯସ୍ମିନ୍ । ନାବାଳିକାକୁ ଦେହ ବ୍ୟବସାୟରେ ଲିପ୍ତ କରାଉଥିବା ନେଇ ଉଭୟ ପୋଲିସ ଆଗରେ ସତ ମାନିଛନ୍ତି ।
ସେମାନଙ୍କ ମୋବାଇଲ ଓ କଲ ରେକର୍ଡରୁ ମଧ୍ୟ ଅନେକ ପ୍ରମାଣ ମିଳିଛି। ଚାକିରି କରାଇ ଦେବାକୁ କହି, ଭଲ ଦୁଇ ପଇସା ରୋଜଗାରର ଲୋଭ ଦେଖାଇ ଭାରତ ସୀମା ପାର କରି ଯୁବତୀଙ୍କୁ ଭୁବନେଶ୍ବର ନେଇ ଆସିଛନ୍ତି କିଛି ଦଲାଲ । ଆଉ ତା ପରେ ମଣିଷ ଭିତରେ ଥିବା ରାକ୍ଷାସ ରୂପ ଦେଖାଇବାକୁ ପଛାଇନାହାନ୍ତି ।ଭୁବନେଶ୍ୱରରେ ସେ ପ୍ରାୟ ୧୫ ଦିନରୁ ଅଧିକ ସମୟ ରହିଥିଲେ । ପରେ ତାଙ୍କୁ ବାରିପଦା ନିଆଗଲା । ଏହା ପରେ ପୁଣି ସେ ଭୁବନେଶ୍ୱର ଆସିଲେ । ସେଠାରେ ମସାଜ୍ ସେଣ୍ଟରରେ ରଖିବା ବାହାନାରେ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିଲା । ଗତ ୭ ତାରିଖରେ ଭୁବନେଶ୍ୱରର ଦଲାଲ୍ ନାବାଳିକାଙ୍କୁ ଗୋପାଳପୁରରେ ରହୁଥିବା ବୀରା ଓ ଯସ୍ମିନ୍ଙ୍କୁ ବିକିଦେଇଥିଲେ । ପୀଡ଼ିତାଙ୍କୁ ସ୍ୱାମୀ-ସ୍ତ୍ରୀ ନେଇ ଗୋପାଳପୁର ଆସିଲେ । ମାତ୍ର ସେଠାରେ ଦମ୍ପତି ନାବାଳିକାଙ୍କୁ ଦେହ ବ୍ୟବସାୟରେ ଲଗାଇଲେ । ଦିନକୁ ଦୁଇ ହଜାର ଟଙ୍କା ଦେବାକୁ କହି ଏଠାରେ ଦେହ ବେପାରରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦଲାଲ। ଦୁର୍ଭାଗ୍ୟର ବିଷୟ, ଏମାନଙ୍କ ଘର ବାଂଲାଦେଶ ହୋଇଥିବାରୁ ନକଲି ଆଧାର କାର୍ଡ ଦେଖାଇ ରଖାଯାଇଛି। ଅସଲି ପରିଚୟ ପତ୍ର ନଥିବାରୁ ସେମାନେ ବାଂଲାଦେଶ ଯାଇପାରୁନାହାନ୍ତି। କିପରି ନିଜ ଦେଶକୁ ଫେରିବେ । କିପରି ଏଠାରୁ ମୁକୁଳିବେ ତାକୁ ନେଇ ଏହି ଯୁବତୀମାନେ ଚିନ୍ତାରେ । ଘଟଣା ନେଇ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଉଥିବା ଡିସିପି କହିଛନ୍ତି ।