ଚଳନ୍ତା ଟ୍ରେନରୁ ଖସି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ବୃଦ୍ଧା

ଗୁରୁବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଆରପିଏଫ୍‌ କର୍ମଚାରୀ ସଞ୍ଜୟ ପ୍ରଧାନ ଟ୍ରେନ୍‌ରୁ ଖସି ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପୋଇପଟା ଗ୍ରାମର ପାର୍ବତୀ ଦାସ (୬୬) ପରିବାର ଲୋକଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍‌ (ନଂ ୨୦୮୬୧)ରେ ଭୁବନେଶ୍ୱରରୁ ଅହମଦାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ବୁଧବାର ରାତି ପ୍ରାୟ ୨ଟା୪୫ରେ ହାତୀବାରି-ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ କୁମୁକାଠାରେ ଖସି ପଡ଼ିଥିଲେ।ହେଲେ ଚଳନ୍ତା ଟ୍ରେନରୁ ପଡ଼ି ବୃଦ୍ଧ ଜଣଙ୍କ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ତାଙ୍କୁ ସାମାନ୍ୟ ଆହତ ଲାଗିଥିବା ବେଳେ ରେଢ଼ାଖୋଲ ଆରପିଏଫର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ତେବେ ହାତିବାରୀ ଅଞ୍ଚଳରେ ହାତୀଙ୍କ ଚଲାପଥ ଓ ଗତିବିଧି ଥିବାରୁ ଟ୍ରେନର ଗତି ଅପେକ୍ଷାକୃତ କମ ଥିଲା । ପାର୍ବତୀ ଟ୍ରେନରୁ ଖସିଯାଇଥିବା ବେଳେ ଟ୍ରେନଟି ଆଗେଇ ଚାଲିଥିଲା । ପରିବାର ଲୋକ ଏନେଇ ଜାଣିବା ବେଳକୁ ଟ୍ରେନଟି ପ୍ରାୟ ୭୦ କିମି ଦୂର ବରଗଡ଼ ଷ୍ଟେସନ ପାଖରେ ପହଞ୍ଚି ସାରିଥିଲା ।ଏପଟେ ୭୬ ବର୍ଷୀୟ ପାର୍ବତୀ ଦାସ କ’ଣ କରିବେ ଭାବି ଭାବି ହୋଇ ଟ୍ରେନ ଲାଇନରେ ଛିଡା ହୋଇଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ଜଣେ ଟ୍ରାକ ମ୍ୟାନ ଦେବଦୂତ ସାଜି ସେଠାରେ ପହଞ୍ଚିଥିଲେ । ଅଧ ରାତିରେ ଜଣେ ବୃଦ୍ଧା ମହିଳାଙ୍କୁ ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ତେଣୁ ସେ ବୃଦ୍ଧା ମହିଳାଙ୍କୁ ଟ୍ରାକରୁ ଉଦ୍ଧାର କରି ହାତିବାରୀରେ କାର୍ଯ୍ୟରତ ଆରପିଏଫ ଅଧିକାରୀଙ୍କୁ ଫୋନ କରି ଏନେଇ ସୂଚନା ଦେଇଥିଲେ । ଏହା ଶୁଣି ଆରପିଏଫ ଅଧିକାରୀ ସେଠାକୁ ପହଞ୍ଚି ପାର୍ବତୀଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ । ଟ୍ରେନରୁ ଖସିପଡ଼ିବା କାରଣରୁ ପାର୍ବତୀଙ୍କ ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିଲା । ଏହି ସମୟ ମଧ୍ୟରେ ବରଗଡ ଷ୍ଟେସନରେ ପାର୍ବତୀଙ୍କ ପୁଅ ପ୍ରଦ୍ୟୁମ୍ନ ଅଟକି ଯାଇ ଆରପିଏଫ ବରଗଡ଼କୁ ତାଙ୍କ ମାଆଙ୍କ ନିଖୋଜ ଥିବା ଘଟଣା ଜଣାଇ ସାରିଥିଲେ । ବରଗଡ଼ ଆରପିଏଫ ଏନେଇ ରେଢ଼ାଖୋଲ ଆରପିଏଫ ସହ ଯୋଗାଯୋଗ କରିଥିଲେ । ତେବେ ପରିବାର ଲୋକ ସମ୍ୱଲପୁର ଡାକ୍ତରଖାନାରେ ପହଞ୍ଚି ପାର୍ବତୀଙ୍କୁ ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.

five × three =